ନୂଆଦିଲ୍ଲୀ, ୨୦/୦୪ (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ସହ ଟେଲିଫୋନ ଯୋଗେ ବୈଶ୍ୱିକ ମହାମାରୀ କରୋନାର ସର୍ବଶେଷ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ନିଜ ନିଜ ଦେଶରେ କରୋନା ସଂକ୍ରମଣର ସ୍ଥିତି ଘେନି ଦୁଇ ନେତା ପରସ୍ପରକୁ ଅବଗତ କରିଥିଲେ । ସାର୍କମେଣ୍ଟଭୁକ୍ତ ରାଷ୍ଟ୍ରଗୁଡିକ ମଧ୍ୟର ଏଭଳି ପରିସ୍ଥିତିରେ ଯେଉଁ ସମନ୍ୱୟ ରହିବା କଥା ତାହା ରହିଛି ଏବଂ ଏଥିପାଇଁ ଦୁଇଦେଶ ସନ୍ତୋଷ ପ୍ରକାଶ କରିଛନ୍ତି ।
ମାଳଦ୍ୱୀପକୁ ଭାରତ ଯେଉଁ ଆଗୁଆ ଡାକ୍ତରୀ ଦଳ ଓ ଔଷଧପତ୍ର ପଠାଇଥିଲା ତାହା ସେଠାରେ ସଂକ୍ରମଣ ରୋକିବାରେ ବିଶେଷ ସହାୟକ ହୋଇଛି ବୋଲି ଶ୍ରୀ ସୋଲିଙ୍କଠାରୁ ଜାଣିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ ।
ପର୍ଯ୍ୟଟନ ଉପରେ ମୁଖ୍ୟତଃ ନର୍ଭର କରୁଥିବା ମାଳଦ୍ୱୀପର ଅର୍ଥନୀତି ପାଇଁ କରୋନା ମହାମାରୀ ଏକ ବଡ ବିପଦ ହୋଇଥିବାରୁ ଏହି ବ୍ୟାଧିର ପ୍ରଭାବକୁ ଯଥା ସମ୍ଭବ ହ୍ରାସ କରିବାରେ ଭାରତ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
କରୋନା ସଂକ୍ରମଣ ଜନିତ ସ୍ଥିତିରୁ ମାଳଦ୍ୱୀପରେ ଯଦି କୌଣସି ଗୁରୁତ୍ୱର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୁଏ ତେବେ ତାହାର ମିଳିତ ମୁକାବିଲା ଦ୍ୱିପାକ୍ଷିକ ଭିତ୍ତିରେ କରାଯିବ । ଏଥିପାଇଁ ଦୁଇ ଦେଶର ବରିଷ୍ଠ ଅଧିକାରୀମାନେ ନିୟମିତ ସମ୍ପର୍କରେ ରହିବାକୁ ଦୁଇ ନେତା ଏକମତ ହୋଇଛନ୍ତି ।




















