ନୂଆଦିଲ୍ଲୀ, ୬/୩ (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ମାର୍ଚ୍ଚ ୭, ୨୦୨୦ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଜନ ଔଷଧୀ ଦିବସ ସମାରୋହରେ ଅଂଶଗ୍ରହଣ କରିବେ । ଶ୍ରୀ ମୋଦୀ ସାତୋଟି ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା କେନ୍ଦ୍ର ସହ ମତ ବିନିମୟ କରିବେ । ଏହି ଯୋଜନାର ସଫଳତା ଏବଂ ଏହାକୁ ଅଧିକ ଗତିଶୀଳ କରିବା ଲାଗି ସାରା ଭାରତରେ ମାର୍ଚ୍ଚ ୭ ତାରିଖକୁ ଜନ ଔଷଧୀ ଦିବସ ଭାବେ ପାଳନ କରାଯାଇଥାଏ । ବଛା ବଛା ଷ୍ଟୋର ମାଲିକ ଏବଂ ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ମତ ବିନିମୟ କରିବେ । ପ୍ରତ୍ୟେକ ଜନ ଔଷଧୀ କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରିବେ । ଜନ ଔଷଧୀ କେନ୍ଦ୍ରର ବଛା ବଛା ଷ୍ଟୋରରେ ଗଚ୍ଛିତ ଥିବା ଔଷଧ ବିଷୟରେ ଡାକ୍ତର, ଗଣମାଧ୍ୟମ ପ୍ରତିନିଧି, ଫାର୍ମାସିଷ୍ଟ ଏବଂ ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।
କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି. ଭି. ସଦାନନ୍ଦ ଗୌଡା ଉତ୍ତରପ୍ରଦେଶର ବାରଣାସୀସ୍ଥିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା କେନ୍ଦ୍ରରୁ ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ । କେନ୍ଦ୍ର ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲକ୍ଷ୍ମଣଭାଇ ମାଣ୍ଡଭିୟ ଜମ୍ମୁ ଓ କଶ୍ମୀରସ୍ଥିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା କେନ୍ଦ୍ରରୁ ଅଂଶଗ୍ରହଣ କରିବେ ।
ଦେଶର ୭୦୦ ଜିଲ୍ଲାରେ ଥିବା ପ୍ରାୟ ୬୨୦୦ ଜନ ଔଷଧୀ କେନ୍ଦ୍ର ବିଶ୍ଵର ସବୁଠାରୁ ବଡ ଖୁଚୁରା ଔଷଧ ବିକ୍ରୟ କେନ୍ଦ୍ର ରୂପେ ପରିଗଣିତ । ଏସବୁ କେନ୍ଦ୍ରରେ ୨୦୧୯-୨୦ ଆର୍ଥିକ ବର୍ଷରେ ୩୯୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଔଷଧ ବିକ୍ରୀ ହୋଇଛି, ଯାହାଦ୍ଵାରା ସାଧାରଣ ନାଗରିକଙ୍କ ପ୍ରାୟ ୨୨୦୦ କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ସ୍ଥାୟୀ ଓ ନିୟମିତ ଆୟ ସହିତ ଏହି ଯୋଜନା ଆତ୍ମନିଯୁକ୍ତି ପ୍ରଦାନ କରିବାରେ ସହାୟକ ହୋଇପାରିଛି ।





















