ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକ • ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

495
File Image: Image used for representational purpose only (କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ)
ADVERTISEMENT

ଭୁବନେଶ୍ୱର,୨୭/୨(ପିଆଇବି) : ବିହାର, ଝାଡଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ନେଇ ଗଠିତ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକ ଆସନ୍ତା କାଲି (୨୮.୨.୨୦୨୦) ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଆୟୋଜନକାରୀ ରାଜ୍ୟ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପାଧ୍ୟକ୍ଷ ଅଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ ଏଥିରେ ଅଂଶଗ୍ରହଣ କରିବେ । ପରିଷଦର ସଦସ୍ୟ ଭାବେ ଏହିସବୁ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେବ । କେନ୍ଦ୍ର ସରକାରଙ୍କ ସଚିବ, ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ମଧ୍ୟ ଏହି ବୈଠକରେ ଯୋଗଦେବେ । ଅକ୍ଟୋବର ୧, ୨୦୧୮ ମସିହାରେ ପୂର୍ବାଞ୍ଚଳ ପରିଷଦର ଶେଷ ବୈଠକ କୋଲକାତାଠାରେ ଅନୁଷ୍ଠିତ ହୋଇଥିଲା ।

ଏଠାରେ ହେବାକୁ ଥିବା ପୂର୍ବାଞ୍ଚଳ ବୈଠକରେ ପ୍ରାୟ ୫୦ଟି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ । ଆଲୋଚନା ମଧ୍ୟରେ ଆନ୍ତଃରାଜ୍ୟ ଜଳବିବାଦ, ବିଦ୍ୟୁତ ସରବରାହ, କୋଇଲା ଖଣି ଗୁଡିକର ପରିଚାଳନା ଏବଂ ରୟାଲିଟି, ରେଳ ପ୍ରକଳ୍ପଗୁଡିକ ନିମନ୍ତେ ଭୂମି ଓ ଜଙ୍ଗଲଗତ ମଞ୍ଜୁରି, ଜଘନ୍ୟ ଅପରାଧଗୁଡିକର ତଦନ୍ତ, ଦେଶ ଭିତରେ ଓ ସୀମାରେ ଗୋରୁ ଚାଲାଣ, ଅଗମ୍ୟ ଅଞ୍ଚଳରେ ଦୂରସଞ୍ଚାର ଓ ବ୍ୟାଙ୍କିଙ୍କ ସେବାର ଭିତ୍ତିଭୂମି, ପେଟ୍ରୋଲିୟମ ପ୍ରକଳ୍ପ, କେନ୍ଦ୍ରୀୟ ରାଜସ୍ୱର ପରିବଣ୍ଟନ ଇତ୍ୟାଦି ଅନ୍ତର୍ଭୁକ୍ତ । ଅନେକ ବରିଷ୍ଠ ଅଧିକାରୀ ଓ ରାଜନୀତିକ ନେତୃତ୍ୱଙ୍କ ଅଂଶଗ୍ରହଣ ମାଧ୍ୟମରେ ଆହୁରି ଅନେକ ବିଷୟ ବୈଠକ କାଳରେ ଆଲୋଚନା ମାଧ୍ୟମରେ ସମାଧାନ ହେବାର ସମ୍ଭାବନା ରହିଛି ।

୧୯୫୬ ରାଜ୍ୟ ପୂର୍ନଗଠନ ଆଇନର ୧୫ରୁ ୨୨ ଧାରାକୁ ଉପଜୀବ୍ୟ କରି ୧୯୫୭ ମସିହାରେ ୫ଟି ଆଞ୍ଚଳିକ ପରିଷଦ ଗଠିତ ହୋଇଥିଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରତ୍ୟେକ ଆଞ୍ଚଳିକ ପରିଷଦର ଅଧ୍ୟକ୍ଷତା କରୁଥିବା ବେଳେ ଆୟୋଜନକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାର ଦାୟିତ୍ୱ ତୁଲାଇଥାନ୍ତି । ପ୍ରତ୍ୟେକ ରାଜ୍ୟର ଦୁଇ ଜଣ ମନ୍ତ୍ରୀ ଏହାର ସଦସ୍ୟ ଭାବେ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି । କେନ୍ଦ୍ର ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ସଦସ୍ୟ ରାଜ୍ୟମାନଙ୍କ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ମନୋମାଳିନ୍ୟ ପରିଷଦରେ ଆଲୋଚନା ଦ୍ୱାରା ସମାଧାନ କରାଯାଇଥାଏ ।

ଆଞ୍ଚଳିକ ପରିଷଦ ଅନେକ ବିଷୟ ବସ୍ତୁ ଯଥା: ସୀମା ସମ୍ପର୍କିତ ବିବାଦ, ନିରାପତ୍ତା, ସଡକ ପରିବହନ, ଶିଳ୍ପ, ଜଳ ଓ ଶକ୍ତି ଭଳି ସମ୍ପର୍କିତ ବିଭିନ୍ନ ଭିତ୍ତିଭୂମି, ଜଙ୍ଗଲ ଓ ପରିବେଶ, ଗୃହ, ଶିକ୍ଷା, ଖାଦ୍ୟ ନିରାପତ୍ତା, ପର୍ୟ୍ୟଟନ ଓ ପରିବହନ ଭଳି ବିଷୟଗୁଡିକ ମଧ୍ୟ ଆଲୋଚନା ପରିସରଭୁକ୍ତ ହୋଇଥାଏ ।

Advertisement