• ସିଙ୍ଗାପୁର ଗସ୍ତ ଏଡ଼ାଇବା ପାଇଁ ନାଗରିକଙ୍କୁ ପରାମର୍ଶ
• କାଠମାଣ୍ଡୁ, ଇଣ୍ଡୋନେସିଆ, ଭିଏତନାମ ଓ ମାଲେସିଆରୁ ଆସୁଥିବା ବିମାନ ଯାତ୍ରୀଙ୍କୁ ଯାଞ୍ଚ ନିଷ୍ପତ୍ତି
ନୂଆଦିଲ୍ଲୀ,୨୨/୨(ଡ଼ିଏଚ) : କେନ୍ଦ୍ର କ୍ୟାବିନେଟ ସଚିବ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲାର ସ୍ଥିତି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବେସାମରିକ ବିମାନ ଚଳାଚଳ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କ ସମେତ ଏଏଫଏମଏସ ମହାନିର୍ଦ୍ଦେଶକ ଏବଂ ବୈଦେଶିକ ବ୍ୟାପାର, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଇମିଗ୍ରେସନ ବ୍ୟୁରୋ, ଆଇଟିବିପି ଓ ଭାରତୀୟ ସେନାର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ବୈଠକରେ ସାମ୍ପ୍ରତିକ ସ୍ଥିତିର ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା । ଏହାଛଡ଼ା ପୂର୍ବ ନିର୍ଦ୍ଦେଶାନାମା ଅନୁଯାୟୀ ସାମୁହିକ ଯାଞ୍ଚର ପରିଧିକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନ କାଠମାଣ୍ଡୁ, ଇଣ୍ଡୋନେସିଆ, ଭିଏତନାମ ଓ ମାଲେସିଆରୁ ଆସୁଥିବା ବିମାନ ଯାତ୍ରୀଙ୍କୁ ସମସ୍ତ ବିମାନ ବନ୍ଦରରେ ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଛି ।
ଏହା ବାଦ ନୂଆ ଯାତ୍ରା ମାର୍ଗଦର୍ଶିକା ଜାରି କରାଯାଇଛି । ବର୍ତ୍ତମାନ ଆବଶ୍ୟକ ନଥିଲେ ସିଙ୍ଗାପୁର ଗସ୍ତ ଏଡ଼ାଇବା ଲାଗି ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି । ଆଜିସୁଦ୍ଧା ୨୧,୮୦୫ ଯାତ୍ରୀଙ୍କୁ ସାମୂହିକ ଭାବେ ସତର୍କ ଦୃଷ୍ଟିରେ ରଖାଯାଇଛି । ଏହାବ୍ୟତୀତ ୩,୯୭,୧୫୨ ବିମାନ ଯାତ୍ରୀ ଏବଂ ସମୁଦ୍ର ମାର୍ଗରେ ଆସିଥିବା ୯,୬୯୫ ଯାତ୍ରୀଙ୍କୁ ମଧ୍ୟ ଯାଞ୍ଚ କରାଯାଇଛି ।




















