ADVERTISEMENT
Home ପୁରୀ ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ପ୍ରବଳ ଭିଡ

ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ପ୍ରବଳ ଭିଡ

456
ADVERTISEMENT

ପୁରୀ,୧୫।୧(ଡି.ଏଚ): ବୁଧବାର ପବିତ୍ର ମକର ସଂକ୍ରାନ୍ତି। ଶ୍ରୀ ମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ମହାପ୍ରଭୁଙ୍କ ମକର ବେଶ ପାଇଁ ବଡ ଓଡିଆ ମଠ ପକ୍ଷରୁ ବିଭିନ୍ନ ପୁଷ୍ପ ଓ ତୁଳସୀକୁ ନେଇ ସୁସଜ୍ଜିତ ମାଳ ଶ୍ରୀମନ୍ଦିରକୁ ଦିଆଯାଇଛି। ହଜାର ହଜାର ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମକର ଚାଉଳ ପ୍ରସାଦ ପାଇବା ପାଇଁ ଜନ ସମାଗମ ଦେଖିବାକୁ ମିଳିଛି। ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବଡ଼ଦେଉଳରେ ମକର ସଂକ୍ରାନ୍ତି ନୀତି ପାଳନ ହେବ। ତିନିଠାକୁରଙ୍କୁ ମକର ଚୂଳ ଲାଗି କରାଯିବ। ବିଶ୍ୱାସ ରହିଛି, ଧନୁ ସଂକ୍ରାନ୍ତିଠାରୁ ବାପଘରକୁ ଯାଇଥିବା ମହାଲକ୍ଷ୍ମୀ ନବାଙ୍କରେ ଭାର, ଥୋର ନେଇ ଶ୍ରୀମନ୍ଦିରକୁ ଫେରିଥାନ୍ତି। ମଙ୍ଗଳବାର ଶ୍ରୀମନ୍ଦିରରେ ଚାଉଳ ମେଲାଣ ନୀତି ଓ ଫୁଲ ମେଲାଣ ନୀତି ସମ୍ପନ୍ନ ହୋଇଛି। ମାଳୀମାନେ ବାଘମୁହାଁ ବାନ୍ଧି ମାଳଚୂଳ, ଜଳ କବରମାନ ଘେନି ପଟୁଆରରେ ଘଣ୍ଟ, ଛତା, କାହାଳି ସହ ବଡ଼ଦେଉଳକୁ ବେଢାଏ ପ୍ରଦକ୍ଷିଣ କରି ବେହେରଣଠାରେ ବେଶ ପାଇଁ ପାଳିଆ ସେବକଙ୍କୁ ଦେଇଥିଲେ। ଏହି ମାଳ ସନ୍ଧ୍ୟା ଆଳତି ବେଶରେ ଲାଗି ହୋଇଥିଲା। ମହାପ୍ରଭୁଙ୍କର ଚନ୍ଦନ ଲାଗି ବଢିବା ପରେ ଭୋଗମଣ୍ଡପ ଘରେ ଭଦ୍ରାସନ ଉପରେ ମୁରୁଜ ପଡ଼ି ୩ଟି ବାଉଁଶିଆରେ ଚାଉଳ ରଖାଯାଇଥିଲା। ସେଥିରେ ଫୁଲ, ଚନ୍ଦନ, ଚେମେଡି ପତନି ଦିଆଯାଇ ଅଧିବାସ କରାଯିବା ପରେ ଦୁଆରମାନ ମୁଦ ହୋଇଥିଲା। ଏହି ଅଧିବାସ ଚାଉଳ ହିଁ ମକର ଚାଉଳ ଭାବେ ମହାପ୍ରଭୁଙ୍କୁ ଲାଗି ହେବ।

Advertisement