ରୁଷ୍‌ ମୁତୟନ କଲା ବିଶ୍ୱର ପ୍ରଥମ ହାଇପର୍‌ସୋନିକ୍‌ ନ୍ୟୁକ୍ଲିଅର୍‌ ମିସାଇଲ୍‌ ‘ଆଭନ୍‌ଗାର୍ଡ’; ୧୫ ମିନିଟ୍‌ରେ ଯାଇ ଆମେରିକାରେ ପଡ଼ିବ

220
ADVERTISEMENT

ମସ୍କୋ ,୨୮/୧୨(ଡି.ଏଚ): ଶୁକ୍ରବାର ଦିନ ରୁଷ୍‌ର ଅନ୍ତର୍ମହାଦେଶୀୟ ହାଇପର୍‌ସୋନିକ୍‌ ମିସାଇଲ୍‌ ‘ଆଭନ୍‌ଗାର୍ଡ’ ଷ୍ଟ୍ରାଟେଜିକ୍‌ ସିଷ୍ଟମ୍‌ କାର୍ଯ୍ୟକ୍ଷମ ହୋଇଛି । ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏହି କ୍ଷେପଣାସ୍ତ୍ର ୟୁନିଟ୍‌କୁ ‘ଭବିଷ୍ୟତର ଅସ୍ତ୍ର’ ବୋଲି ବର୍ଣ୍ଣନା କରି କହିଛନ୍ତି ବିକାଶଶୀଳ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଏହା ଦେଶକୁ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ଆଗକୁ ନେଇଯାଇଛି । ଏ ସପ୍ତାହ ପ୍ରାରମ୍ଭରେ ସେ କହିଥିଲେ: ଏହା ହେଉଛି ଉଭୟ କ୍ଷେପଣାତ୍ମକ ଏବଂ ରକ୍ଷାତ୍ମକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ଭେଦ କରିବାକୁ ସାମର୍ଥ୍ୟ ଥିବା ଭବିଷ୍ୟତର ଅସ୍ତ୍ର ।ଏସିଆ ଏବଂ ଇଉରୋପ ମହାଦେଶର ଆଂଶିକ ସୀମା ନିର୍ଦ୍ଧାରଣ କରୁଥିବା ୟୁରାଲ୍‌ସ୍‌ ପର୍ବତ ଶ୍ରେଣୀ ନିକଟରେ ଏହି ଅସ୍ତ୍ରକୁ ମୁତୟନ କରାଯାଇଥିବା କଥା ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ଶୁକ୍ରବାର ଦିନ ରୁଷୀୟ ନେତା ପୁଟିନ୍‌ଙ୍କୁ କହିଛନ୍ତି। ୧୫ ମିନିଟ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ସୀମା ମଧ୍ୟକୁ ପ୍ରବେଶ କରି ପାରୁଥିବା ‘ଆଭନ୍‌ଗାର୍ଡ’ ହେଉଛି ଅନ୍ୟତମ ‘ସୁପର୍‌-ଉଇପନ୍‌’। ମାର୍ଚ ୨୦୧୮ରେ ‘ଷ୍ଟେଟ୍‌ ଅଫ୍‌ ଦି ନେସନ୍‌’ ସଂକ୍ରାନ୍ତରେ ଭାଷଣ ଦେବା ବେଳେ ପୁଟିନ୍‌ ଏ ବିଷୟ ଉପସ୍ଥାପନ କରିଥିଲେ। ଗୋଟାଏ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍‌ ରକେଟ୍‌ ଏବଂ ଊର୍ଦ୍ଧ୍ୱମୁଖୀ ଓ ସମାନ୍ତରଳ ସମତଳ ଉପର ଦେଇ ଚମତ୍କାର ଭାବେ ଗତି କରୁଥିବା ଏକାଧିକ ହାଇପର୍‌ସୋନିକ୍‌ ଓ୍ଵାର୍‌ହେଡ୍‌ ସମଷ୍ଟିରେ ‘ଆଭନ୍‌ଗାର୍ଡ’ ତିଆରି। ଲକ୍ଷସ୍ଥଳରେ ପହଞ୍ଚିବା ପୂର୍ବରୁ ଦରକାର ହେଲେ ଏହା ନିଜର ଗତିପଥ ବି ବଦଳାଇ ପାରିବ।


Advertisement