ଭୁବନେଶ୍ୱର,୩୦।୧୧(ଡି.ଏଚ) : ରବିବାରଠାରୁ ସଂଶୋଧିତ ନୂତନ ଟ୍ରାଫିକ ନିୟମ କଡ଼ାକଡ଼ି ହେବାକୁ ଯାଉଛି। ଏଥର ପୋଲିସ ଆଉ ରାସ୍ତା ମଝିରେ ନିୟମ ଉଲ୍ଲଂଘନକାରୀଙ୍କ ସହ ଯୁକ୍ତି କରିବ ନାହିଁ। ନୂଆ ବ୍ୟବସ୍ଥାରେ କମିଶନରେଟ ପୋଲିସ ଉଲ୍ଲଘଂନକାରୀଙ୍କଠାରୁ କଡାକଡି ଭାବେ ସୁଧମୂଳ ଅସୁଲ କରିବ। ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ଡିସେମ୍ବର ୧ରୁ ଆରମ୍ଭ ହେବ ଟିଭିଡିଏସ୍ ବ୍ୟବସ୍ଥା। ଏହା ପ୍ରଥମେ ରୂପାଲି ଛକରୁ ଆରମ୍ଭ କରାଯିବ। ପରେ ଏହା ଆଉ ଆଠଟି ପ୍ରମୁଖ ଛକକୁ ବ୍ୟାପିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ରବିବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ସେ ସୂଚନା ଦେଇ କହିଛନ୍ତି, ଟିଭିଡିଏସ୍ ବ୍ୟବସ୍ଥାରେ ଆମେ ବିଭିନ୍ନ ଛକରେ ଲାଗିଥିବା ସିସିଟିଭିରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଗାଡ଼ି ନଂ ଚିହ୍ନଟ କରିବୁ। ଏହି ନମ୍ବର ଆଧାରରେ ତାଙ୍କ ଘରକୁ ଚାଲାଣ ପଠାଯିବ। ଏହାସହ ବିଭିନ୍ନ ଛକରେ ଟ୍ରାଫିକ୍ ଚେକିଂ କରୁଥିବା ପୋଲିସଙ୍କ ବଡ଼ି କ୍ୟାମେରାରୁ ନିୟମ ଉଲ୍ଲଘଂନ କାରିଙ୍କୁ ଚିହ୍ନଟ କରାଯିବ। ସେମାନେ ଯଦି ଘଟଣାସ୍ଥଳରେ ଜରିମାନା ନ ଦେବେ ଅଯଥାରେ ଯୁକ୍ତି କରିବାକୁ ପୋଲିସକୁ ମନା କରାଯାଇଛି। ଉଲ୍ଲଘଂନକାରୀଙ୍କ ନମ୍ବରରୁ ତାଙ୍କ ଘରକୁ ଚାଲାଣ ପଠାଯିବ।




















