ମୁମ୍ବାଇ,୧୩/o୯(ଏଜେନସି) : ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି)ର ସୁପ୍ରିମୋ ଶରଦ ପାଓ୍ଵାରଙ୍କ କନ୍ୟା ତଥା ବାରାମତୀର ସାଂସଦ ସୁପ୍ରିୟା ସୁଲେ ଆଜି ମୁମ୍ବାଇର ଦାଦର ରେଳ ଷ୍ଟେସନ୍ରେ ଟ୍ରେନ୍ ଭିତରେ ଜଣେ ଅସମାଜିକ ଯୁବକ ଦ୍ୱାରା ଅସଦାଚରଣର ଶିକାର ହେବା ଘଟଣା ଦେଶବ୍ୟାପି ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ସାଂସଦ ସୁଲେ ଟୁଇଟ୍ କରି ରେଳମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ପରେ ରେଲେଓ୍ଵ ପୁଲିସ୍ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଂପୃକ୍ତ ଅଭିଯୁକ୍ତ ଅସାମାଜିକ ଯୁବକକୁ ଗିରଫ କରିଥିବା ଜାଣିବାକୁ ମିଳିଛି।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ବାରାମତୀର ସାଂସଦ ସୁପ୍ରିୟା ସୁଲେ ଆଜି ଏକ ଟ୍ରେନ୍ରେ ମୁମ୍ବାଇ ଆସୁଥିବା ବେଳେ ଦାଦର ଷ୍ଟେସନ ପୂର୍ବରୁ କୁଲଜିତ୍ ସିଂହ ମାଲହୋତ୍ରା ନାମକ ଜଣେ ଟ୍ୟାକ୍ସି ଦଲାଲ ତାଙ୍କ କମ୍ପାଟମେଣ୍ଟ ଭିତରକୁ ପଶି ଆସି ଟ୍ୟାକ୍ସି ଦରକାର କି ବୋଲି ପଚାରିଥିଲ। ଶ୍ରୀମତୀ ସୁଲେ ମନା କରିବା ପରେ ବି ସେ ତାଙ୍କ ପିଛା ଛାଡ଼ି ନଥିଲା। ଦାଦର ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ ଶ୍ରୀମତୀ ସୁଲେ ତାଙ୍କ କମ୍ପାଟମେଣ୍ଟରୁ ବାହାରିବାକୁ ଉଦ୍ୟମ କରୁଥିବା ବେଳେ ସେ ତାଙ୍କ ପଥ ଅବରୋଧ କରିବା ସହ ତାଙ୍କ ସହ ବଳ ପୂର୍ବକ ଫଟୋ ଉଠାଇଥିଲା।




















