ନୂଆଦିଲ୍ଲୀ ,୧୩/o୯(ରବି ଦାସ ) : ଚନ୍ଦ୍ରପୃଷ୍ଠରେ ସୂଷ୍ମ ଅବତରଣ କରିବାରେ ବିଫଳ ହେବାପରେ ଲ୍ୟାଣ୍ଡର ବିକ୍ରମ ସହ ବିଚ୍ଛିନ୍ନ ହୋଇ ପଡ଼ିଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ନିଜର ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ ଏବେ ଏହି ମାମଲାରେ ଇସ୍ରୋ ସହ ହାତ ମିଳାଇଛି ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା। ବିକ୍ରମ ସହ ବିଚ୍ଛିନ୍ନ ହୋଇ ପଡ଼ିଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ନାସାକୁ ଇସ୍ରୋ କର୍ତ୍ତୃପକ୍ଷ ଅନୁମତି ଦେବାପରେ ନାସା କର୍ତ୍ତୃପକ୍ଷ ଏବେ ରାତିଦିନ ଏକ କରି ଏହି କାର୍ଯ୍ୟରେ ଲାଗି ପଡ଼ିଥିବା ଜାଣିବାକୁ ମିଳିଛି । ନାସା ଏବେ ନିଜର ଜେଟ୍ ପ୍ରଣୋଦନ ପ୍ରୟୋଗଶାଳା, ‘ଜେଟ୍ ପ୍ରୋପୁଲସନ୍ ଲାବୋରେଟୋରି’ (ଜେପିଏଲ୍) ମାଧ୍ୟମରେ ନିଜର ଗଭୀର ଅନ୍ତରୀକ୍ଷ ନେଟ୍ଓ୍ଵାର୍କ, ‘ଡିପ୍ ସ୍ପେସ୍ ନେଟଓ୍ଵାର୍କ’ (ଡିଏସ୍ଏନ୍)କୁ ବ୍ୟବହାର କରି ଲ୍ୟାଣ୍ଡର ବିକ୍ରମ ସହ ପୁନଃ ଯୋଗାଯୋଗ ସ୍ଥାପନ କରିବାକୁ ପ୍ରୟାସ ଆରମ୍ଭ କରି ଦେଇଛି ।





















