
ମସ୍କୋ,o୫/o୯( ଏଜେନସି) : ଭାରତୀୟ ନୌସେନା ପାଇଁ ଋଷିଆ ଭାରତ ସହ ମିଶି ସ୍ୱଦେଶୀ ଜ୍ଞାନ କୌଶଳରେ ୬ଟି ବୁଡ଼ାଜାହାଜ (ସବ୍ମେରିନ୍) ନିର୍ମାଣ କରିବା ପାଇଁ ଋଷିଆ ଆଗ୍ରହ ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଋଷିଆ ଗସ୍ତରେ ଯାଇଥିବା ଅବସରରେ ଆଜି ମସ୍କୋଠାରେ ଆୟୋଜିତ ହୋଇଥିବା ଦୁଇ ଦେଶର ପ୍ରତିନିଧି ସ୍ତରୀୟ ଆଲୋଚନା କାଳରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରେଜେକ୍ଟ ୭୫(I) ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ୬ଟି ବୁଡ଼ାଜାହାଜ ନିର୍ମାଣ ପାଇଁ ୪୦,୦୦୦ କୋଟି ଟଙ୍କା ବ୍ୟୟ କରାଯିବ।ଏହି ବୁଡ଼ାଜାହାଜ ନିର୍ମାଣ ପାଇଁ ଉଭୟ ଦେଶ ଡିଜାଇନ୍ ଠାରୁ ଆରମ୍ଭ କରି ଚୂଡ଼ାନ୍ତ ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ମିଳିତ ଭାବେ କରିବେ। ତେବେ, ଏହି ୬ଟି ବୁଡ଼ାଜାହାଜ ନିର୍ମାଣ ପାଇଁ ଭାରତର ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆର୍ଡିଓ) ଏଯାବତ୍ କରିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ ରୂପେ ଅକ୍ଷତ ରଖାଯିବା ସହ ସଂପୂର୍ଣ୍ଣ ସ୍ୱଦେଶୀ ତଥା ସର୍ବାଧୁନିକ ଜ୍ଞାନକୌଶଳରେ ଏହି ୬ଟି ବୁଡ଼ାଜାହାଜର ନିର୍ମାଣ କରାଯିବା ପାଇଁ ଆଜି ଅନୁଷ୍ଠିତ ହୋଇଥିବା ଦୁଇ ଦେଶର ପ୍ରତିନିଧି ସ୍ତରୀୟ ଆଲୋଚନା କାଳରେ ନିଷ୍ପତ୍ତି ନିଆଯାଇଛି।



















