ଲାହୋର,o୩/o୯(ଏଜେନସି): କୌଣସି ସମସ୍ୟାର ସମାଧାନ ଯୁଦ୍ଧ ଦ୍ୱାରା ହୋଇ ନ ଥିଏ। ଭାରତକୁ ମୁଁ ଏହା କହିବାକୁ ଚାହୁଁଛି। ଯୁଦ୍ଧରେ ବିଜୟ ଲାଭ କରିଥିବା ଦେଶ ମଧ୍ୟ କ୍ଷତି ସହିଥାଏ। ଭାରତ ଓ ପାକିସ୍ତାନ ଉଭୟ ପରମାଣୁ ଶକ୍ତିସମ୍ପନ୍ନ ଦେଶ। ଯୁଦ୍ଧ ମନୋଭାବ ଛାଡ଼ି ପ୍ରତ୍ୟେକ ସମସ୍ୟାର ସମାଧାନ ଲାଗି ଉଭୟେ ଆଲୋଚନାକୁ ଗୁରୁତ୍ୱ ଦେବା ଉଚିତ୍ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୋମବାର ପ୍ରକାଶ କରିଛନ୍ତି। ପାକିସ୍ତାନ କେବେ ବି ଭାରତ ବିରୋଧରେ ଯୁଦ୍ଧାରମ୍ଭ କରିବ ନାହିଁ। ଯୁଦ୍ଧହେଲେ କେବଳ ଆମେ କ୍ଷତି ସହିବୁନି ବରଂ ସାରା ବିଶ୍ୱ କ୍ଷତିଗ୍ରସ୍ତ ହେବ ବୋଲି ଲାହୋରରେ ଶିଖ୍ ସମ୍ପ୍ରଦାୟର ଲୋକମାନଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି। ପ୍ରକାଶଥାଉ କି, ୩୭୦ ଧାରା ଉଚ୍ଛେଦ ପରେ ଇମ୍ରାନଙ୍କର ଥିବା କଡ଼ା ଆଭିମୁଖ୍ୟରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବରୁ କଶ୍ମୀରକୁ ନେଇ ଭାରତ ଉପରେ ବର୍ଷିବା ସହ ଇମ୍ରାନ୍ ପରମାଣୁ ଯୁଦ୍ଧର ଧମକ ଦେଇଥିଲେ। ଭାରତ ଏହାକୁ ଗୁରୁତ୍ୱ ନ ଦେବାରୁ ପାକ୍ ମନୋଭାବରେ ପରିବର୍ତ୍ତନ ଆସିଛି। ଭାରତ ବିରୋଧରେ ପାକିସ୍ତାନ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଇମ୍ରାନ କହିଛନ୍ତି। ପଠାନ୍କୋଟ ଓ ପୁଲ୍ଓ୍ବାମା ଆକ୍ରମଣ ପରେ ଭାରତର କଡ଼ା ଆଭିମୁଖ୍ୟ ପାକିସ୍ତାନକୁ ଭୟଭୀତ କରିପକାଇଛି । ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣରେ ଜୈଶ୍ ଆତଙ୍କବାଦୀ ଶିବିର ଧ୍ୱଂସ ପାଇଛି। ଏବେ କଶ୍ମୀରକୁ ନେଇ ବାଉଳି ହେଉଥିବା ପାକିସ୍ତାନ ବିଶ୍ୱ ସମୁଦାୟର ସହଯୋଗ ଲୋଡ଼ି ହତାଶ୍ ହେବା ପରେ ଭାରତ ଆଗରେ ମୁଣ୍ଡ ନୁଆଁଇଛି। ପାକ୍ ବହିର୍ବ୍ୟାପାର ମନ୍ତ୍ରୀ କୁରେଶୀଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଯୁଦ୍ଧ ଧମକରୁ ହଟିଯାଇ ଆଲୋଚନା କରିବାକୁ ମନ ବଳାଇଛନ୍ତି।
ଭାରତ ବିରୋଧରେ ସୀମାପାର୍ ଆତଙ୍କବାଦ ଓ ଅସ୍ତ୍ରବିରତି ଉଲ୍ଲଂଘନ ଏବେ ବି ପାକିସ୍ତାନ ଜାରି ରଖିଛି।



















