ନୂଆଦିଲ୍ଲୀ,୩୧/୮(ରବି ଦାସ) : କଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ପୋଷ୍ଟର୍ ଲଗାଇ ଦୋକାନ ଓ ସ୍କୁଲ୍ ନ ଖୋଲିବା ପାଇଁ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଧମକ ଦେଉଥିବା କଥା ସେନା କହିଛି।ପଦାକୁ ନ ବାହରିବାକୁ ମହିଳାମାନଙ୍କୁ ମଧ୍ୟ ଏହି ପୋଷ୍ଟର୍ ଜରିଆରେ ଧମକ ଦିଆଯାଇଛି।ଆତଙ୍କବାଦୀ ସଙ୍ଗଠନ ହିଜ୍ବୁଲ୍ ମୁଜାହିଦୀନ ଏବଂ ଲଶ୍କର୍-ଏ-ତୈବାର ପୋଷ୍ଟର୍ ଉଦ୍ଧାର କରାଯାଇଥିବା କଥା ସେନାବାହିନୀ ଅଧିକାରୀମାନେ କହିଛନ୍ତି। ରାସ୍ତାଘାଟରେ ବ୍ୟକ୍ତିଗତ ଗାଡ଼ିମୋଟର୍ ନ ଚଳାଇବାକୁ ସ୍ଥାନୀୟ ବାସିନ୍ଦାଙ୍କୁ କୁହାଯାଇଥିବା ଗୋଟାଏ ହିଜ୍ବୁଲ୍ ମୁଜାହିଦୀନ୍ ପୋଷ୍ଟର୍ କୁଲ୍ଗାମ୍ ଜିଲ୍ଲାରୁ ଉଦ୍ଧାର ହୋଇଥିବା କଥା ସେନା କହିଛି। ଗୋଟାଏ ପୋଷ୍ଟର୍ରେ ଉଲ୍ଲେଖ ରହିଛି: ତଥାପି ରାସ୍ତାରେ ଚଳାଚଳ କରୁଥିବା କେତେକ ନିର୍ଦ୍ଦିଷ୍ଟ ଯାନବାହନର ପଞ୍ଜିକୃତ ନମ୍ବର ଆମ ନିକଟରେ ଅଛି। ସେ ଯାନବାହନଗୁଡ଼ିକର ମାଲିକମାନଙ୍କୁ ଆମେ ଶେଷ ଚେତାବନୀ ଦେଉଛୁ। କୌଣସି ସ୍କୁଲ୍ ଖୋଲିବ ନାହିଁ। କୌଣସି ମହିଳା ରାସ୍ତାକୁ ବାହାରିବେ ନାହିଁ। ମହିଳାମାନଙ୍କୁ ଘରେ ରଖନ୍ତୁ। ବ୍ୟବସାୟୀମାନଙ୍କୁ ବ୍ୟବସାୟ ନ କରିବାକୁ ଅଗଷ୍ଟ ମାସର ଶେଷ ଦୁଇ ସପ୍ତାହ ହେବ ଆତଙ୍କବାଦୀମାନେ ଧମକ ଦେଇଛନ୍ତି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଅଗଷ୍ଟ ୨୧ ତାରିଖ ଦିନ ଅନନ୍ତନାଗର ଐଶ୍ମୁକାମ୍ ବଜାରରେ ବ୍ୟବସାୟୀମାନଙ୍କୁ ଦୋକାନ ନ ଖୋଲିବାକୁ ତିନି ଜଣ ଆତଙ୍କବାଦୀ ଧମକ ଦେଇଥିଲେ। ସେହି ଦିନ ପୁଲ୍ଓ୍ଵାମା ଜିଲ୍ଲାରେ ଚାରି ଜଣ ଆତଙ୍କବାଦୀ କଶ୍ମୀର ବାହାରକୁ ଫଳ ନ ପଠାଇବାକୁ ବ୍ୟବସାୟୀମାନଙ୍କୁ ଧମକ ଦେଇଥିଲେ।



















