ନୂଆଦିଲ୍ଲୀ,୩୦/୮(ରବି ଦାସ) : ସେପ୍ଟେମ୍ବର ୩ ତାରିଖ ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର୍ ସିଂହ ମିଳିତ ଭାବେ ଆମେରିକା ନିର୍ମିତ ଆପାଚି ଏଏଚ୍-୬୪ଇ (ଆଇ) ହେଲିକପ୍ଟର୍ଗୁଡ଼ିକୁ ଭାରତୀୟ ବାୟୁସେନାରେ ପ୍ରବେଶ କରାଇବେ। ଶୁଣାଯାଉଛି, ସେଦିନ କୁଆଡ଼େ ଲଢୁଆ ବିମାନ ଚାଳକ ଅଭିନନ୍ଦନ ପଠାନକୋଟରୁ ଗୋଟାଏ ମିଗ୍ ବିମାନ ଚଳାଇବେ।ପଠାନକୋଟ ବାୟୁସେନା ଘାଟିରେ ୪ଟି ଆପାଚି ହେଲିକପ୍ଟର୍ ରଖାଯିବ। ଏହି ପ୍ରମୁଖ ବିମାନଘାଟିଟି ପଡ଼ୋଶୀ ପାକିସ୍ତାନର ସୀମା ଠାରୁ ମାତ୍ର କେତେ ମାଇଲ୍ ଦୂରରେ ଅବସ୍ଥିତ। ଭାରତୀୟ ବାୟୁସେନାର ମୁଖପାତ୍ର କହିଛନ୍ତି, ୨୨ଟି ଆପାଚି ହେଲିକପ୍ଟର୍ ନିମନ୍ତେ ସେପ୍ଟେମ୍ବର ୨୦୧୫ରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ବୋଇଙ୍ଗ୍ କମ୍ପାନି ସହ ୧. ୧ ବିଲିୟନ୍ ଡଲାର୍ର ରାଜିନାମା ସ୍ୱାକ୍ଷର କରିଥିଲା ଫାୟାର୍-ଆଣ୍ଡ୍-ଫର୍ଗେଟ୍ ହେଲ୍ଫାୟାର୍ ମିସାଇଲ୍ ବହନ କରିଥିବା ଆପାଚି ହେଲିକପ୍ଟର୍ ଗୋଟିଏ ମିନିଟ୍ରେ ୧୨୮ଟି ଲକ୍ଷ୍ୟସ୍ଥଳ ଭେଦ କରିପାରେ। ବାୟୁସେନାରେ ଯୋଗ ଦେବାରେ ଆପାଚି ହେଲିକପ୍ଟର୍ ହେଉଛି ଆମେରିକା ନିର୍ମିତ ଦ୍ୱିତୀୟ ହେଲିକପ୍ଟର୍। ମାର୍ଚ ୨୫ ତାରିଖରେ ଚଣ୍ଡିଗଡ଼ରେ ବାୟୁସେନା ବୋଇଙ୍ଗ୍ ସିଏଚ୍-୪୭ଏଫ୍ (ଆଇ) ଚିକୁନ୍ ହେଲିକପ୍ଟର୍ ସାମିଲ କରିଥିଲା।



















