ବିଶ୍ୱରେ ପ୍ରଥମ ଭାରତୀୟ ନାବିକଙ୍କୁ ଫେସିଆଲ ବାୟୋମେଟ୍ରିକ ପରିଚୟ ପତ୍ର

318
ADVERTISEMENT

ନୂଆଦିଲ୍ଲୀ,୨୯/୮(ରବି ଦାସ ) : ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ନାବିକମାନଙ୍କ ପାଇଁ ଫେସିଆଲ ବାୟୋମେଟ୍ରିକ ନାବିକ ପରିଚୟ ପତ୍ର ଜାରି କରିଛି। କେନ୍ଦ୍ର ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବିୟ ବୁଧବାର ନୂଆଦିଲ୍ଲୀରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ୫ ଜଣ ଭାରତୀୟ ନାବିକଙ୍କୁ ଏହି ପରିଚୟ ପତ୍ର ପ୍ରଦାନ କରିଛନ୍ତି। ନୂତନ ଫେସିଆଲ ବାୟୋମେଟ୍ରିକ ଜ୍ଞାନକୌଶଳ ଦୁଇ ଆଙ୍ଗୁଳି ବା ଆଖିର ଛାପ ଆଧାରିତ ବାୟୋମେଟ୍ରିକ ଡାଟାଠାରୁ ଉନ୍ନତ। ଏଥିରେ ଆଧୁନିକ ସୁରକ୍ଷା ଉପାୟ ମଧ୍ୟ ରହିଛି। ଏହା ଫଳରେ ନାବିକଙ୍କ ଚିହ୍ନଟ ଅଧିକ ବିଶ୍ୱାସଯୋଗ୍ୟ ହେବ ଓ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସମ୍ମାନ ସୁରକ୍ଷିତ ରହିବ।
ମାଣ୍ଡବିୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଉପକୂଳବର୍ତ୍ତୀ ଜାହାଜ ଚଳାଚଳ, ଆନ୍ତଃ ଦେଶୀୟ ଜଳଭାଗ ଏବଂ ସାମୁଦ୍ରିକ ଗତିବିଧିରେ ଦ୍ରୁତ ବୃଦ୍ଧି ଘଟୁଛି। ଏହା ଫଳରେ ରୋଜଗାର ଅବସର ସୃଷ୍ଟି ହୋଇଛି। ଆନ୍ତର୍ଜାତିକ ଜାହାଜ ଚଳାଚଳ ଉଦ୍ୟୋଗରେ ଭାରତୀୟ ନାବିକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି। ଭାରତ କିମ୍ବା ବିଦେଶରେ ରୋଜଗାର ପାଉଥିବା ଭାରତୀୟ ନାବିକମାନଙ୍କ ସଂଖ୍ୟା ୨୦୧୭ରେ ୧ଲକ୍ଷ ୫୪ହଜାର ୩୪୯ ଥିଲା, ଯାହାକି ଚଳିତ ବର୍ଷ ୨ଲକ୍ଷ ୮ହଜାର ୭୯୯ରେ ପହଞ୍ଚିଛି। ଏଥିରେ ୩୫ ପ୍ରତିଶତ ବୃଦ୍ଧି ଘଟିଛି।ଫେସିଆଲ ବାୟୋମେଟ୍ରିକ ସଂଗ୍ରହ ତଥା ଏହାର ପ୍ରମାଣିକତା ପାଇଁ ଏକ ସଫ୍ଟୱେର ମଧ୍ୟ ବିକଶିତ କରାଯାଇଛି।
ବିଏସଆଇଡି କାର୍ଡ ଜାରି କରିବା ପାଇଁ ମୁମ୍ବାଇ, କୋଲକାତା, ଚେନ୍ନାଇ, ନୋଏଡା, ଗୋଆ, ବାଙ୍ଗାଲୋର, କୋଚ୍ଚି, ବିଖାଖାପାଟଣା ଓ କାଂଡଲାରେ ୯ଟି ତଥ୍ୟ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ସମ୍ପ୍ରତି ୩ଲକ୍ଷ ୫୦ହଜାର ଭାରତୀୟ ନାବିକଙ୍କୁ ବିଏସଆଇଡି କାର୍ଡ ଜାରି କରାଯିବ। ସମସ୍ତ ନାବିକମାନଙ୍କୁ ୨ ବର୍ଷ ମଧ୍ୟରେ ବିଏସଆଇଡି କାର୍ଡ ଜାରି କରାଯିବ। ଏହାପରେ ପ୍ରତ୍ୟେକ ବର୍ଷ ୧୫ହଜାର ନାବିକମାନଙ୍କୁ ବିଏସଆଇଡି କାର୍ଡ ପ୍ରଦାନ କରାଯିବ।

Advertisement