ଉତ୍ତରପ୍ରଦେଶ,୨୭/୮(ଏଜେନସି ) : ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ ହରାଇ ୨ଟି ଅଟୋ ଉପରେ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶାହାଜାହାନପୁର ଜିଲା ରୋଜା ଥାନା ଅଞ୍ଚଳରେ ମଙ୍ଗଳରେ ଲକ୍ଷ୍ନୌ-ଦିଲ୍ଲୀ ଜାତୀୟ ରାଜପଥରେ ଏକ ଟ୍ରକ ଭାରସାମ୍ୟ ହରାଇ ସେହି ରାସ୍ତାରେ ଯାଉଥିବା ୨ଟି ଅଟୋକୁ ଧକ୍କା ଦେଇ ଅଟୋ ଉପରେ ଓଲଟିପଡ଼ିଛି।। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ଗୁରୁତର ଆହତଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ସ୍ବସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଅପରପକ୍ଷରେ ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ରାଶି ଓ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।



















