ଉତ୍ତରପ୍ରଦେଶ,୨୧/୮(ଏଜେନସି) : ସହିହେଲାନି ର୍ୟାଗିଙ୍ଗ୍ | ଏହାକୁ ବିରୋଧ କରି ୧୦୦ ରୁ ଅଧିକ ଛାତ୍ର ଲଣ୍ଡା ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଉତ୍ତରପ୍ରଦେଶ ଇଟାୱାର ସରକାରୀ ମେଡିକାଲ୍ କଲେଜରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଲଣ୍ଡା ହୋଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଜୁନିୟର ଛାତ୍ରଛାତ୍ରୀଙ୍କ ଉପରେ ସିନିୟର୍ ଛାତ୍ର ଆଧିପତ୍ୟ ଜମାଇବାରେ ଲାଗିଛନ୍ତି । କ୍ଲାସରୁ ଆରମ୍ଭ କରି କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ମୁଣ୍ଡ ତଳକୁ ପୋତି ଚାଲିବାକୁ ବାଧ୍ୟ କରାଯାଉଛି । ତେବେ ମେଡିକାଲ୍ କଲେଜରେ ଏଭଳି ର୍ୟାଗିଙ୍ଗ୍ ଖବର ସାମ୍ନାକୁ ଆସିବା ପରେ ଏବେ ଚାରିଆଡେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଜୁନିୟର୍ ଛାତ୍ରଙ୍କୁ ଅକଥନୀୟ ନିର୍ଯାତନା ଦେବା ଫଳରେ ଛାତ୍ରମାନେ ଲଣ୍ଡା ହୋଇ ବିରୋଧ ପ୍ରଦର୍ଶନ କରିଥିଲେ ।
ଏନେଇ କଲେଜ୍ କୁଳପତି କହିଛନ୍ତି , ଯଦି କୌଣସି ଛାତ୍ର ବିଶ୍ୱବିଦ୍ୟାଳୟର ଅନୁଶାସନକୁ ଭାଙ୍ଗିବାକୁ ଚେଷ୍ଟା କରିବେ ତେବେ ଏନେଇ ଉକ୍ତ ଛାତ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ଯାତିତ ଛାତ୍ରମାନେ ଚୁପ୍ ରହିବା ବଦଳରେ ୱାର୍ଡେନ୍ ଙ୍କୁ ଏନେଇ ଅଭିଯୋଗ କରିପାରିଥାନ୍ତେ । ତେବେ ଘଟଣା ସାମ୍ନାକୁ ଆସିବାପରେ ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କ ନଜର ଏହା ଉପରେ ରହିଛି । ଆପଣଙ୍କୁ କହିରଖୁଛୁ ଏହି ମେଡିକାଲ୍ କଲେଜ ସମାଜବାଦୀ ପାର୍ଟି ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବଙ୍କ ଗାଁ ସେଫଇରେ ପ୍ରତିଷ୍ଠା କରାଯାଇଛି | ଏହି ସରକାରୀ କଲେଜରେ ଏମବିବିଏସ୍ ,ଏମଏସ୍ ,ଏମଡି ,ପାରାମେଡିକାଲ୍ ସମେତ ଅନ୍ୟାନ୍ୟ ବିଷୟ ମଧ୍ୟ ଶିକ୍ଷା ଦିଆଯାଏ । ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢୁଥିବା ଏହି କଲେଜର ମେଡିକାଲ୍ ବିଭାଗରେ ୧୫୦ ଛାତ୍ରଛାତ୍ରୀ ଏମବିବିଏସ୍ ପାଠ ପଢୁଛନ୍ତି । ଏହି ସବୁ ଛାତ୍ର ର୍ୟାଗିଙ୍ଗ୍ କୁ ବିରୋଧ କରି ଲଣ୍ଡା ହୋଇଯାଇଥିଲେ । ମଙ୍ଗଳବାର ଏହି ଖବର ଜିଲ୍ଲା ପ୍ରଶାସନଙ୍କ ପାଖରେ ପହଁଚିଥିଲା । ଏନେଇ ପୁଲିସ ଏବଂ କୁଳପତି ଏମବିବିଏସ୍ ଛାତ୍ରମାନଙ୍କୁ ପଚରାଉଚରା କରିବା ସତ୍ତ୍ବେ କେହି ବି ଏନେଇ ମୁହଁ ଖୋଲିନଥିଲେ ।




















