ନୂଆଦିଲ୍ଲୀ,୨୧/୮(ରବି ଦାସ ) : ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ଗିରଫଦାରିକୁ ପ୍ରତିହତ କରିବାକୁ ବୁଧବାର ଦିନ ସୁପ୍ରିମ୍ କୋର୍ଟରେ ଆଇନ୍ ଯୁଦ୍ଧ ଲଢ଼ିବାକୁ କଂଗ୍ରେସ ପାର୍ଟିର ଶୀର୍ଷସ୍ତରୀୟ ଆଇନିଜ୍ଞ- ଅଭିଷେକ ସିଙ୍ଘଓ୍ଵି, କପିଳ ସିବଲ ଏବଂ ସଲମନ୍ ଖୁର୍ଶିଦ୍ ପ୍ରସ୍ତୁତି କରି ରହିଛନ୍ତି । ସଦ୍ୟତମ ସୂଚନା ଅନୁସାରେ, ବୁଧବାର ସକାଳେ ଚିଦାମ୍ବରମ୍ଙ୍କ ପାଇଁ ଓକିଲମାନେ ସୁପ୍ରିମ୍ କୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଏର୍ କରିଛନ୍ତି । ଅଭିଯୋଗ ହୋଇଥିବା ଅପରାଧ ଏବଂ ଅନ୍ୟାନ୍ୟ ବିବରଣୀ ସହ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ଜାରି କରିଥିବା ସମସ୍ତ ସମନ୍କୁ ଚିଦାମ୍ବରମ୍ ଦେଇଥିବା ଉତ୍ତରର ରେକର୍ଡ ଉପରେ ସେମାନେ ଆଲୋକପାତ କରିବାର ସମ୍ଭାବନା ରହିଛି। ଏଥିସହ ସେମାନେ ଯୁକ୍ତି ବାଢ଼ିବେ କି ତାଙ୍କ ଗିରଫଦାରି ପାଇଁ ଆଦୌ ଆଇନଗତ କାରଣ ନାହିଁ । ଆଗୁଆ ଜାମିନ ପାଇଁ ଚିଦାମ୍ବରମ୍ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ତରୁନ୍ତ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ଚିଦାମ୍ବରମ୍, ସିବଲ, ସିଙ୍ଘଓ୍ଵି ଏବଂ ଖୁର୍ସିଦ୍ ସିଙ୍ଘ୍ଓ୍ଵିଙ୍କ ଚାମ୍ବର୍ରେ ମିଳିତ ହୋଇଥିଲେ । ଆବେଦନ ସଂକ୍ରାନ୍ତରେ ଦିଲ୍ଲୀ ହାଇକୋର୍ଟଙ୍କ ବିଳମ୍ବିତ ରାୟ ଯୋଗୁଁ ସିଙ୍ଘ୍ଓ୍ଵି ସନ୍ତୁଷ୍ଟ ନୁହନ୍ତି।
ସେ କହିଛନ୍ତି: ସାତ ମାସ ତଳୁ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ଥିଲା। ଏଇ ଆଦେଶକୁ ଅମାନ୍ୟ କରିବାକୁ କରାଯାଇଥିବା ଆବେଦନ ସଂକ୍ରାନ୍ତରେ ଅପରାହ୍ଣ ୪ଟାରେ ନିଷ୍ପତ୍ତି ନିଆଯିବା ଦୁଃଖଦାୟକ । ଏ ମାମଲା ସୁପ୍ରିମ୍ କୋର୍ଟରେ ପକାଇବା ନିମନ୍ତେ ଆମ ପାଇଁ ଅସମ୍ଭବ ହୋଇଗଲା । ସେ କହିଲେ ଯେ ପ୍ରଥମ କଥା ହେଲା ଚିଦାମ୍ବରମଙ୍କ ଗିରଫଦାରି ରୋକିବାକୁ ଚିଦାମ୍ବରମ୍ଙ୍କ ଓକିଲ ଦଳ ମାମଲା ସୁପ୍ରିମ୍ କୋର୍ଟକୁ ନେବେ।




















