ଡନ୍ ଏବଂ ଛୋଟେ ସରକାର ନାଆଁରେ ଜଣାଶୁଣା ବିହାରର ବିଧାୟକ ଅନନ୍ତ ସିଂହଙ୍କୁ ଆତଙ୍କବାଦୀ ଘୋଷଣା କରାଯିବ

297
ADVERTISEMENT

ପାଟନା,୧୮/୮(ଏଜେନସି) : ବିହାରର ମୋକାମା ଅଞ୍ଚଳର ସ୍ୱାଧୀନ ବିଧାୟକ ଅନନ୍ତ ସିଂହଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି । ତାଙ୍କୁ ସେହି ଅଞ୍ଚଳର ଡନ୍ ଏବଂ ଛୋଟେ ସରକାର ବୋଲି ବି କୁହାଯାଏ। ଆଜି ପୁଲିସ ତାଙ୍କ ଘରେ ପହଞ୍ଚିବା ବେଳକୁ ଅନନ୍ତ ସିଂହ ଫେରାର୍ ହୋଇଥିବା ଜଣାଯାଇଥିଲା । ଗତ ଶୁକ୍ରବାର ଅନନ୍ତ ସିଂହଙ୍କ ଘର ଉପରେ ଚଢ଼ାଉ କରାଯାଇ ଏକେ-୪୭ ରାଇଫଲ ଓ ହେଡ ଗ୍ରେନେଡ ଜବତ କରାଯାଇଥିଲା । ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ତାଙ୍କୁ ୟୁଏପିଏ ଆଇନ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିପାରନ୍ତି । ଏହି ଘଟଣାରେ ବାଢ଼ ଥାନାରେ ଅନନ୍ତ ସିଂହ ଓ କେୟାରଟେକର ସୁନିଲ ରାମଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥି ସହିତ ସୁନିଲକୁ ପୁଲିସ ଗିରଫ କରିଛି । ଅନନ୍ତ ସିଂହଙ୍କ ଗିରଫ ପାଇଁ କୋର୍ଟରେ ଅଭିଯୋଗ କରାଯାଇଛି । କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି କରାଯିବା ପରେ ତାଙ୍କୁ ଗିରଫ କରାଯିବ । ଅନ୍ୟପକ୍ଷରେ ବିଳମ୍ବିତ ରାତିରେ ଅନନ୍ତ ସିଂହଙ୍କ ଘରୁ ଜବତ ହୋଇଥିବା ହ୍ୟାଣ୍ଡ ଗ୍ରେନେଡକୁ ଏସିଏସ ନିଷ୍କ୍ରିୟ କରିଦେଇଛି । ସୂଚନାଯୋଗ୍ୟ ୟୁଏପିଏ ଆଇନ ୧୯୬୭ରେ ଗୃହୀତ ହୋଇଥିଲା । ଏହି ଆଇନ ଅନୁଯାୟୀ ଯଦି କୌଣସି ସଂଗଠନ ଦେଶର ସ୍ୱାର୍ଥ ବିରୋଧୀ କାମ କରିଥାଏ, ତାକୁ ବେଆଇନ ଘୋଷଣା କରାଯାଇଥାଏ । ନିକଟରେ ମୋଦୀ ସରକାର ଏହାକୁ ସଂଶୋଧନ କରିଥିଲେ । ଏହି ନୂତନ ଆଇନ ଅନୁସାରେ ଆତଙ୍କବାଦୀ ଗତିବିଧି ସହିତ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରିବ ।

Advertisement