ନୂଆଦିଲ୍ଲୀ, ୧୦/୮(ଏଜେନସି ) : ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ଆମେରିକାରେ ରହୁଥିବା ଡାକ୍ତର ଦମ୍ପତି । ତାଙ୍କ ସହ ତାଙ୍କ ୧୯ବର୍ଷୀୟା ଝିଅ ମଧ୍ୟ ବିମାନ ମଧ୍ୟରେ ଥିବା ବେଳେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ୩ଜଣ ନିଜର ବ୍ୟକ୍ତିଗତ ବିମାନ ଯୋଗେ ଯାଉଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା । ମୃତକମାନେ ହେଲେ ଡାକ୍ତର ଜସ୍ବୀର ଖୁରାନା, ତାଙ୍କ ପତ୍ନୀ ଡାକ୍ତର ଦିବ୍ୟା ଖୁରାନା ଓ ତାଙ୍କ ଝିଅ କିରଣ ଖୁରାନା । ତେବେ ଜସ୍ବୀରଙ୍କ ଆଉ ଏକ ଝିଅ ଥିବା ବେଳେ ଦୁର୍ଘଟଣା ସମୟରେ ସେ ବିମାନରେ ନଥିବା ଜଣାପଡ଼ିଛି ।ସୂଚନା ମୁତାବକ, ଡାକ୍ତର ଜସ୍ବୀର ଓ ଡାକ୍ତର ଦିବ୍ୟା ଏମ୍ସରେ ନିଜର ଟ୍ରେନିଂ ସାରି ଆମେରିକା ଚାଲି ଯାଇଥିଲେ । ବିମାନଟି ସକାଳ ୬ଟାରେ ଫିଲାଡେଲ୍ଫିଆ ବିମାନବନ୍ଦରରୁ ଉଡ଼ାଣ ଭରି କଲମ୍ବୋସରେ ଥିବା ଓହିଓ ଷ୍ଟେଟ୍ ୟନିଭର୍ସିଟି ବିମାନବନ୍ଦରକୁ ବାହାରିଥିଲା । କିନ୍ତୁ ଉଡ଼ାଣ ଭରିବାର ୩ ମିନିଟ୍ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।