ଉଠିଲା ୧୪୪ ଧାରା, ସ୍ୱାଭାବିକ ହେଉଛି ଜମ୍ମୁ ଓ କଶ୍ମୀର ପରିସ୍ଥିତି: ରାଜ୍ୟପାଳ ସତ୍ୟ ପାଲ୍‌ ମଲିକ

219
ADVERTISEMENT

ଶ୍ରୀନଗର, ୧୦/୮(ଏଜେନସି ) :ପରିସ୍ଥିତିର ସମୀକ୍ଷା କରି ରାଜ୍ୟପାଳ ସତ୍ୟ ପାଲ୍‌ ମଲିକ କହିଲେ, ଜମ୍ମୁ ଓ କଶ୍ମୀରର ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଏବଂ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ କ୍ରମଶଃ ସ୍ୱାଭାବିକ ହେଉଛି । ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଭାଷଣକୁ ପ୍ରଶଂସା କରି ରାଜ୍ୟପାଳ ମଲିକ ଶୁକ୍ରବାର ଦିନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ଶାନ୍ତ କରାଇବା ଭଳି ପ୍ରଭାବ ଥିଲା । ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ଇଦ୍‌-ଉଲ୍‌-ଆଝାର ଅଳ୍ପ ଦିନ ପୂର୍ବରୁ ରାଜ୍ୟପାଳ ମଲିକ ଦେଇଥିବା ଭାଷଣରେ କହିଛନ୍ତି ଯେ ଇଦ୍‌ ପୂର୍ବରୁ ଓ ଇଦ୍‌ ଦିନ କଟକଣା କୋହଳ କରାଯିବ। ଠିକଣା ବାଟରେ ପର୍ବ ପାଳନ କରାଯିବ। ଇଦ୍‌ ଅବସରରେ ପଶୁ କିଣାବିକା ନିମନ୍ତେ ପ୍ରଶାସନ ଦ୍ୱାରା ବିଭିନ୍ନ ସ୍ଥାନରେ ପଶୁହାଟ ଖୋଲାଯିବ। ଦୁଇ ଲକ୍ଷ ଛେଳି ଏବଂ ତିନି ଲକ୍ଷ କୁକୁଡ଼ା ପାଇଁ ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ଦିନ ଖୋଲିଥିବା କଣ୍ଟ୍ରୋଲ୍‌ ଦୋକାନରେ ରେସନ୍‌ ଯୋଗାଣ ହେଉଛି କି, ନାହିଁ ତା’ର ମଧ୍ୟ ରାଜ୍ୟପାଳ ସମୀକ୍ଷା କରିଥିଲେ। ବିଜୁଳି ଯୋଗାଣ, ଜଳ ଓ ପରିମଳ ଭଳି ଅତ୍ୟାବଶ୍ୟକ ସେବା ଯୋଗାଣ ନିଶ୍ଚିତ କରିବା ନିମନ୍ତେ ସମୁଦାୟ ୧୬୦୦ କର୍ମଚାରୀ ଡିୟୁଟିରେ ଅଛନ୍ତି। ଅନ୍ୟ ୧୦ ହଜାର ଲୋକ କଶ୍ମୀରରେ ଡିୟୁଟି କରୁଥିବା ରିପୋର୍ଟ କରିଛନ୍ତି । ଅଧିକାଂଶ ବ୍ୟାଙ୍କ୍‌ର ଏଟିଏମ୍‌ କାର୍ଯ୍ୟକ୍ଷମ ରହିଛି ବୋଲି ସେ କହିଛନ୍ତି । ଠିକା କର୍ମଚାରୀମାନଙ୍କୁ ଅଗଷ୍ଟ ମାସର ଦରମା ଅଗ୍ରୀମ ଦିଆଯାଇଛି । ଶ୍ରୀନଗରର ଟିଆର୍‌ସି, ହସ୍‌ପିଟାଲ୍‌ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଲଙ୍ଗର୍‌ସବୁ କାର୍ଯ୍ୟ କରୁଛି । ଆମ ପାଖରେ ଦୁଇ ମାସର ଦ୍ରବ୍ୟ ଗଚ୍ଛିତ ଅଛି। ପେଟ୍ରୋଲ୍‌, ଡିଜେଲ୍‌ ଓ ନିୟମିତ ଯୋଗାଣ ହେଉଥିବା ଏଲ୍‌ପିଜି ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ବୋଲି ସେ କହିଛନ୍ତି।

Advertisement