ନୂଆଦିଲ୍ଲୀ,୧୩/୦୫(ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୩.୬୨ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୪,୧୨୦ ରହିଥିବା ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୬୨,୭୨୭ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪,୧୨୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୩୭,୦୩,୬୬୫ ଓ ମୃତ୍ୟୁସଂଖ୍ୟା ୨,୫୮,୩୧୭ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୨,୧୮୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୯୭,୩୪,୮୨୩ରେ ପହଞ୍ଚିଛି । ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭,୧୦,୫୨୫ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୭,୭୨,୧୪,୨୫୬ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୧୨ ତାରିଖ ସୁଦ୍ଧା ସମୁଦାୟ ୩୦,୯୪,୪୮,୫୮୫ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୮,୬୪,୫୯୪ଟି ନମୁନା ।




















