ନୂଆଦିଲ୍ଲୀ, ୭/୮, ଏଜେନସି : ଜମ୍ମୁ-କଶ୍ମୀରକୁ ଭାରତ ଠାରୁ ଅଲଗା କରି ରଖିଥିବା ସମ୍ବିଧାନର ଧାରା ୩୭୦କୁ ଶେଷରେ ଉଚ୍ଛେଦ କରାଯାଇଛି । ଏବେ କଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୋଟିଏ ସାମ୍ବିଧାନିକ ବ୍ୟବସ୍ଥା ପ୍ରଚଳିତ ହେବ ଏବଂ କେବଳ ଜାତୀୟ ପତାକା ତ୍ରିରଙ୍ଗା ହିଁ ଉଡ଼ିବ। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ଏଭଳି ଏକ ଐତିହାସିକ ପଦକ୍ଷେପ ଗ୍ରହଣ ଫଳରେ ଗୋଟିଏ ପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଅନ୍ୟ ଦେଶକୁ ସମର୍ଥନ ମାଗୁଥିବା ବେଳେ ଆଉ ଗୋଟିଏ ପଟେ ଇମ୍ରାନ ଖାନ୍ଙ୍କ ସରକାରର ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି । ଫଓ୍ଵାଦ ଟୁଇଟ କରି ଲେଖିଛନ୍ତି, ଭାରତ କଶ୍ମୀରକୁ ପାଲେଷ୍ଟାଇନ୍ ବନାଇବାକୁ ଚେଷ୍ଟା କରୁଛି । ଭାରତ କଶ୍ମୀର ଜନସଂଖ୍ୟାର ବୈଷିଷ୍ଟ୍ୟକୁ ବଦଳାଇବାକୁ ଚାହୁଁଛି । ଫଓ୍ଵାଦ ନିଜ ସାଂସଦଙ୍କୁ ଅନୁରୋଧ କରି କହିଛନ୍ତି, ଅଯଥା ବିଷୟକୁ ନେଇ ନିଜ ନିଜ ଭିତରେ ଲଢ଼ିବା ବଦଳରେ ଆମକୁ ଭାରତର ଜବାବ ରକ୍ତ, ଲୁହ ଓ ଝାଳରେ ଦେବାକୁ ପଡ଼ିବ। ଆମକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ପାକିସ୍ତାନର ସେନାମୁଖ୍ୟ ଜେନେରାଲ ଜାଓ୍ଵଦ ବାଜଓ୍ଵାଙ୍କୁ ଏବେ ପିଓକେ ଚିନ୍ତା ଘାରିଛି । ଗତ ସୋମବାର ଜମ୍ମୁ-କଶ୍ମୀରକୁ ଭାରତ ଠାରୁ ଅଲଗା କରି ରଖିଥିବା ସମ୍ବିଧାନର ଧାରା ୩୭୦କୁ ଶେଷରେ ଉଚ୍ଛେଦ କରାଯାଇଛି । ଏବେ କଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୋଟିଏ ସାମ୍ବିଧାନିକ ବ୍ୟବସ୍ଥା ପ୍ରଚଳିତ ହେବ ଏବଂ କେବଳ ଜାତୀୟ ପତାକା ତ୍ରିରଙ୍ଗା ହିଁ ଉଡ଼ିବ। ସେତିକି ନୁହେଁ, କଶ୍ମୀରରେ କେବଳ ସ୍ଥାନୀୟ ବାସିନ୍ଦା ଘର କରିବେ ଓ ସରକାରୀ ଚାକିରିରେ ମିଳୁଥିବା ସ୍ୱତନ୍ତ୍ର ସୁବିଧା ସଂକ୍ରାନ୍ତ ଧାରା ୩୫-ଏକୁ ମଧ୍ୟ ଉଚ୍ଛେଦ କରିଛନ୍ତି ସରକାର । ଏହାସହିତ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ମଧ୍ୟ ହରାଇବ। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି।