ଗତକାଲି ବର୍ଷା ହେବା ଫଳରେ ଶିମିଳିପାଳରେ ନିଆଁ କମିଲା, ଅନ୍ୟ ଜଙ୍ଗଲରେ ବଢ଼ିଲା ନିଆଁ

575
ADVERTISEMENT

ଭୁବନେଶ୍ୱର,୧୨/୩,(ଡ଼ି.ଏଚ/ବ୍ୟୁରୋ): ଶିମିଳିପାଳ ଜଙ୍ଗଲରେ ନିଆଁ ନିୟନ୍ତ୍ରଣକୁ ଆସିଯାଇଛି। ଗତକାଲି ଓ ଆଜି ବର୍ଷା ହେବା ଫଳରେ ନିଆଁ ଆପତତଃ ଲିଭିଯାଇଛି। କିନ୍ତୁ ରାଜ୍ୟର ଅନ୍ୟ ଜଙ୍ଗଲରେ ନିଆଁ ବଢ଼ିବାରେ ଲାଗିଛି। ୯ ତାରିଖରେ ମାତ୍ର ୩୪ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା। ଆଜି ଏହି ସଂଖ୍ୟା ୯୯ ଛୁଇଁଛି। ଭାରତୀୟ ବନ ସର୍ବେକ୍ଷଣ(ଏଫ୍‌ଏସ୍‌ଆଇ) ପକ୍ଷରୁ ସୂଚନା ମିଳିଛି। ଏହା ଏବେ ସରକାର ଓ ପରିବେଶବିତ୍‌ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ସୂଚନା ମୁତାବକ ଗତକାଲି ସୁଦ୍ଧା ବଡ଼ ଧରଣ ନିଆଁ ସମେତ ମୋଟ ୪୯୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା। ତେବେ ଆଜି ଏହି ସଂଖ୍ୟା ୧୦୪୮ରେ ପହଞ୍ଚିଛି। ନୂଆପଡ଼ା, ବରଗଡ଼, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କଳାହାଣ୍ଡି, କୋରାପୁଟ ପରି କେତେକ ଜିଲ୍ଲାରେ ନୂଆ ନିଆଁ ଚିହ୍ନଟ ହୋଇଛି। ଦେଶର ୫୬୪ଟି ସ୍ଥାନରେ ବଡ଼ଧରଣର ନିଆଁ ଲାଗିଥିବା ନେଇ ଏଫ୍‌ଏସ୍‌ଆଇ ଆଜି ସୂଚନା ଦେଇଛି। ସେଥିମଧ୍ୟରୁ ଓଡ଼ିଶାରେ ୯୯ଟି ଥିବା ବେଳେ ମିଜୋରାମ୍‌ରେ ୬୩, ତେଲେଙ୍ଗାନାରେ ୬୫, ଉତ୍ତରାଖଣ୍ଡରେ ୧୧, ମହାରାଷ୍ଟ୍ରରେ ୪୮, ମଧ୍ୟ ପ୍ରଦେଶରେ ୮୬, ଝାଡ଼ଖଣ୍ଡରେ ୩୭, ମଣିପୁରରେ ୧୪, ଝାଡ଼ଖଣ୍ଡରେ ୩୭, ଛତିଶଗଡ଼ରେ ୭୪, ଆନ୍ଧ୍ରପ୍ରଦେଶରେ ୩୪ଟି ବଡ଼ଧରଣର ଜଙ୍ଗଲ ଜଳୁଛି। ଅନ୍ୟପକ୍ଷରେ ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି ଯେ ଶିମିଳିପାଳ ସମେତ ସାରା ରାଜ୍ୟରେ ବନାଗ୍ନିକୁ ଆୟତ୍ତ କରାଯାଇଛି। ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଏଫ୍‌ଏସ୍‌ଆଇ ତଥ୍ୟାନୁସାରେ ଗତକାଲି ୪୯୭ଟି ବନାଗ୍ନି ଚିହ୍ନଟ ହୋଇଥିଲା। ତେବେ ସାଟେଲାଇଟ୍‌ ମାଧ୍ୟମରେ ଆଜି ୧୦୪୮ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ନଜର ଆସିଛି। ଗତ ଦୁଇ ଦିନରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଇଲାକାରେ ୨୬ ଓ ୨୪ଟି ବନାଗ୍ନି ପଏଣ୍ଟ ତୁଳନାରେ କେବଳ ୫ଟି ବନାଗ୍ନି ପଏଣ୍ଟ ଚିହ୍ନଟ ହୋଇଛି। ଗତକାଲି ଶିମିଳିପାଳର କିଛି ଅଂଶରେ ବର୍ଷା ହୋଇଛି। ଯାହାକି ଶିମିଳିପାଳରେ ଅଗ୍ନି ବିସ୍ତାରକୁ ସମ୍ଭବତଃ ରୋକିପାରେ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆଗାମୀ ୩ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମଧ୍ୟମଧରଣର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

Advertisement