ନୂଆଦିଲ୍ଲୀ:୭/୮ଏଜେନସି : ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଆଉ ନାହାନ୍ତି। ଗତ ରାତିରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ବହୁ ମନ୍ତ୍ରୀ ଓ ନେତା ଶେଷ ଦର୍ଶନ ପାଇଁ ଏମ୍ସରେ ପହଞ୍ଚିଥିଲେ।
ଶାରୀରିକ ଅସୁସ୍ଥତା ଯୋଗୁଁ ଗତ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇଥିବା ସୁଷମା ଆଜି ସନ୍ଧ୍ୟାରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ରାତି ୯ଟା ୩୫ ମିନିଟରେ ଦିଲ୍ଳୀ ଏମ୍ସରେ ଭର୍ତି କରାଯାଇଥିଲା। ତାଙ୍କ ଚିକିତ୍ସା ଲାଗି ତୁରନ୍ତ ଏକ ୫ ଜଣିଆ ଡାକ୍ତରୀ ଦଳ ମଧ୍ୟ ଗଠିତ ହୋଇଥିଲା। ତେବେ ତାଙ୍କୁ ବଞ୍ଚାଇବା ଲାଗି ଡାକ୍ତରମାନଙ୍କ ସବୁ ପ୍ରକାର ଉଦ୍ୟମ ବିଫଳ ହୋଇଥିଲା। ରାତି ପ୍ରାୟ ୧୦ଟାରେ ସେ ନିଶ୍ବାସ ତ୍ୟାଗ କରିଥିଲେ।
୧୯୫୨ ମସିହା ଫେବ୍ରୁଆରି ୧୪ରେ ହରିଆନାର ଅମ୍ବାଲାରେ ଜନ୍ମିତ ସୁଷମା ସ୍ବରାଜଙ୍କ ବାପାଙ୍କ ନାମ ହରଦେବ ଶର୍ମା ଥିବାବେଳେ ମାଆଙ୍କ ନାମ ଲକ୍ଷ୍ମୀଦେବୀ। ସୁପ୍ରିମକୋର୍ଟର ଓକିଲ ଭାବେ ସେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ ହେଁ ପରେ ରାଜନୀତିରେ ଯୋଗ ଦେଇ ବିଜେପିର ଜଣେ ଟାଣୁଆ ନେତ୍ରୀ ହୋଇ ପାରିଥିଲେ। ଆକର୍ଷଣୀୟ ବ୍ୟକ୍ତିତ୍ବ ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଓଜସ୍ବିନୀ ଭାଷଣ ତାଙ୍କୁ ଜଣେ ଲୋକପ୍ରିୟ ନେତ୍ରୀ ଭାବେ ପ୍ରସିଦ୍ଧି ଆଣି ଦେଇଥିଲା। ୧୯୭୭ରେ ମାତ୍ର ୨୫ ବର୍ଷ ବୟସରେ ସେ ଅମ୍ବାଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁୁ ଜନତା ପାର୍ଟି ଟିକଟରେ ଜିଣି ବିଧାୟିକା ହେବା ସହ େଦଶର ସର୍ବକନିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।
୧୯୯୦ରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିବା ବେଳେ ୧୯୯୬ରେ ଦକ୍ଷିଣ ଦିଲ୍ଲୀରୁ ବିଜେପି ଟିକଟରେ ବିଜୟୀ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ୧୩ ଦିନିଆ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ। ୧୯୯୮ ଅକ୍ଟୋବର ୧୩ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ସେ ଅଳ୍ପଦିନ ପାଇଁ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ୧୯୯୮ରେ ସେ ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନରୁ ବିଜୟୀ ହୋଇ ବାଜପେୟୀ ସରକାରରେ ପୁଣିଥରେ ସୂଚନା ପ୍ରସାରଣ ଓ ଟେଲିକମ୍ ବିଭାଗର ମନ୍ତ୍ରୀ ହୋଇଥିଲେ। ୧୯୯୯ରେ ସେ କର୍ଣ୍ଣାଟକର ବେଲାରି ଆସନରେ କଂଗ୍ରେସ ଅଧ୍ୟକ୍ଷା େସାନିଆ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ ଲଢ଼ି ହାରି ଯାଇଥିଲେ। ତେବେ ୨୦୦୦ ମସିହାରେ ସେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ପୁନର୍ବାର ସୂଚନା ପ୍ରସାରଣ ଓ ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରିପଦ ସମ୍ଭାଳିଥିଲେ।
ସୁଷମା ସ୍ବାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ହିଁ ଭୁବନେଶ୍ବର ସମେତ ଦେଶରେ ୬ଟି ନୂଆ ଏମ୍ସ ଖୋଲିଥିଲା। ୨୦୦୬ରେ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ୨୦୦୯ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀଦଳର ଉପନେତା ହୋଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ସେ ମଧ୍ୟପ୍ରଦେଶର ବିଦିଶା ଆସନରୁ ୪ ଲକ୍ଷରୁ ଅଧିକ ବ୍ୟବଧାନରେ ବିଜୟୀ ହୋଇ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୪ ପର୍ଯ୍ୟନ୍ତ ଲୋକସଭାରେ ବିରୋଧୀଦଳର ନେତା ଭାବେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥିଲେ।
୨୦୦୪ରେ ପୁଣିଥରେ ସେ ବିଦିଶା ଆସନରୁ ବିଜୟୀ ହୋଇ ମୋଦୀ ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ୨୦୧୯ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ସୁଷମା ହେଉଛନ୍ତି ଦ୍ବିତୀୟ ମହିଳା ଯେ କି ବୈଦେଶିକ ମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଥିଲେ। ଲୋକସଭାକୁ ସେ ୭ ଥର ଏବଂ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ। ଆମେରିକାର ପ୍ରସିଦ୍ଧ ସମ୍ବାଦପତ୍ର ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଦ୍ବାରା ସେ ଭାରତର ସବୁଠୁ ପ୍ରିୟ ରାଜନେତାର ଆଖ୍ୟା ପାଇଥିଲେ। ତେବେ ୨୦୧୬ ଡିସେମ୍ବରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ତାଙ୍କର କିଡନି ପ୍ରତିରୋପଣ ହୋଇଥିଲା। ତେଣୁ ସ୍ବାସ୍ଥଗତ କାରଣରୁ ସେ ୨୦୧୯ ନିର୍ବାଚନ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ।ସୁଷମାଙ୍କ ଶେଷ ଟୁଇଟ୍ ଥିଲା ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ। ମୃତ୍ୟୁର ପ୍ରାୟ ସାଢ଼େ ୩ ଘଣ୍ଟା ପୂର୍ବରୁ ଆଜି ସନ୍ଧ୍ୟା ୭ଟା ୨୩ ମିନିଟ୍ରେ ସେ ଏହି ଟୁଇଟ୍ କରିଥିଲେ। ସେ ଲେଖିଥିଲେ, ‘‘ପ୍ରଧାନମନ୍ତ୍ରୀ ମହୋଦୟ, ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ ନିଜ ଜୀବନରେ ଏହି ଦିନଟି ଦେଖିବାକୁ ଅପେକ୍ଷା କରି ରହିଥିଲି।’’ ଉଭୟ ହିନ୍ଦୀ ଓ ଇଂରାଜି ଭାଷାରେ ସେ ଏହି ଟୁଇଟ୍ କରିଥିଲେ। ସାମାଜିକ ଗଣମାଧ୍ୟମରେ ସର୍ବଦା ସକ୍ରିୟ ରହୁଥିବା ସୁଷମା ଏନ୍ଡିଏର ପ୍ରଥମ ପାଳିରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଟ୍ବିଟର୍ ଜରିଆରେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ। ବିଦେଶରେ ହଇରାଣ ହେଉଥିବା କିମ୍ବା ସହାୟତା ଲୋଡ଼ୁଥିବା ଲୋକମାନଙ୍କୁ ସେ ସାହାଯ୍ୟ କରୁଥିଲେ। ଟୁଇଟର୍ ଜରିଆରେ ଲୋକଙ୍କ ସମସ୍ୟା ସମାଧାନ କରିବା ନେଇ ସୁଷମାଙ୍କ ଯେଉଁ ସ୍ବତନ୍ତ୍ର କଳା ରହିଥିଲା ତାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ।