ପୁଡୁଚେରୀରେ ରାଜନୈତିକ ସଙ୍କଟ : ରାଷ୍ଟ୍ରପତି ଶାସନ ଜାରି

170
ADVERTISEMENT

ନୂଆଦିଲ୍ଲୀ,୨୪/୦୨/୨୧(ଡ଼ି.ଏଚ/ବ୍ୟୁରୋ): ପଡୁଚେରୀରେ ରାଜ୍ୟପାଳଙ୍କ ଶାସନ ନିମନ୍ତେ ଆଜି କେନ୍ଦ୍ର ବ୍ୟାବିନେଟ୍‌ ମଞ୍ଜରି ପ୍ରଦାନ କରିଛି। ପୁଡୁଚେରୀରେ କଂଗ୍ରେସ ସରକାରର ପତନ ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେଣୁ, ରାଷ୍ଟ୍ରପତି ଶାସନ ଜାରି ନିମନ୍ତେ ସୌନ୍ଦରରାଜନ ପଠାଇଥିବା ସୁପାରିସ ପତ୍ରଟି ଆଜି କ୍ୟାବିନେଟ୍‌ ବୈଠକରେ ପାରିତ ହୋଇଛି। ଏ ସପ୍ତାହ ପ୍ରାରମ୍ଭରେ ପୁଡୁଚେରୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ନେତୃତ୍ୱାଧୀନ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବ୍ୟର୍ଥ ହୋଇଥିଲେ । ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ହେବାକୁ ମାତ୍ର ତିନି ମାସ ଥିବା ବେଳେ ସୋମବାର ଦିନ ଭି ନାରାୟଣସାମୀ ସରକାର କ୍ଷମତାଚ୍ୟୁତ ହୋଇଛି। ଛଅଜଣ ବିଧାୟକ ଇସ୍ତଫା ଦେବା ପରେ ୨୬ ଆସନବିଶିଷ୍ଟ ବିଧାନସଭାରେ କଂଗ୍ରେସ-ଡିଏମ୍‌କେ ମେଣ୍ଟ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ଲାଗି ଆବଶ୍ୟକ ୧୪ଜଣ ବିଧାୟକ ହାସଲ କରିବାରେ ବିଫଳ ହୋଇଥିଲା। କଂଗ୍ରେସର ୫ଜଣ ଏବଂ ଡିଏମ୍‌କେର ଜଣେ ବିଧାୟକ ଇସ୍ତଫା ଦେଇଥିଲେ। କଂଗ୍ରେସ ଛାଡ଼ିଥିବା ବିଧାୟକମାନଙ୍କ ମଧ୍ୟରୁ ଦୁଇଜଣ ବିଜେପିରେ ଯୋଗ ଦେଇଥିବା ବେଳେ ଆହୁରି କେତେ ଜଣ ମଧ୍ୟ ଯୋଗ ଦେବାର ସମ୍ଭାବନା ରହିଛି। ଅନ୍ୟ ପକ୍ଷରେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଡୁଚେରୀ ଓ ତାମିଲନାଡୁ ଗସ୍ତରେ ଯିବେ। ଏହି ଉପକୂଳବର୍ତ୍ତୀ କେନ୍ଦ୍ରଶାସିତ ଅଞ୍ଚଳରେ କେତେଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ବିଜେପି ରାଲିରେ ମଧ୍ୟ ଉଦ୍‌ବୋଧନ ଦେବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଫେବ୍ରୁଆରି ୨୮ ତାରିଖରେ ପଡୁଚେରୀ ଗସ୍ତରେ ଯିବେ।

Advertisement