ଭୁବନେଶ୍ୱର,୧୪/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ରବିବାର ପାହାନ୍ତାରେ କୁର୍ଣ୍ଣୂଲ୍ ଜିଲ୍ଲାର ବେଲଡୁରତି ମଣ୍ଡଳ ଅନ୍ତର୍ଗତ ମାଦରପୁରମ୍ ଗ୍ରାମ ପାଖ ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଭ୍ୟାନ୍ ଓ ଗୋଟିଏ ଲରି ପରସ୍ପର ସହ ଧକ୍କା ଖାଇବାରୁ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ପୁଲିସ କହିବା ଅନୁସାରେ, ଚିତ୍ତୂର ଜିଲ୍ଲାର ମାଣ୍ଡାନାପାଲ୍ଲେ ଅଞ୍ଚଳରୁ ଦଳେ ତୀର୍ଥଯାତ୍ରୀ ରାଜସ୍ଥାନର ଆଜ୍ମେର୍ ଅଭିମୁଖେ ଯାଉଥିଲେ । ଉକ୍ତ ତୀର୍ଥଯାତ୍ରୀମାନେ ଯାଉଥିବା ମିନି ଭ୍ୟାନ୍ଟି ପାହାନ୍ତା ୩ଟାରୁ ୩.୩୦ ମଧ୍ୟରେ ହଠାତ୍ ଦିଗ ପରିବର୍ତ୍ତନ କରି ରାଜପଥ ଅପରପାଶ୍ୱରେ ଆସୁଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୮ଜଣ ମହିଳା, ୫ଜଣ ପୁରୁଷ ଓ ଜଣେ ପିଲାଙ୍କ ସମେତ ୧୪ଜଣଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ଦୁଇଜଣ ପିଲାଙ୍କ ସମେତ ଅନ୍ୟ ୪ଜଣ ସାଙ୍ଘାତିକ ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ କୁର୍ଣ୍ଣୂଲ୍ର ଗଭର୍ଣ୍ଣମେଣ୍ଟ୍ ଜେନେରାଲ୍ ହସ୍ପିଟାଲ୍କୁ ନେଇଥିଲେ। ସେଠାକାର ଡାକ୍ତରଙ୍କ କହିବା ଅନୁସାରେ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖୁବ୍ ସଙ୍କଟାପନ୍ନ ହୋଇପଡ଼ିଛି ।
ମୃତଯାତ୍ରୀମାନେ ଦୁର୍ଘଟଣାଗ୍ରସ୍ତ ମିନିଭ୍ୟାନ୍ରେ ଚାପିହୋଇ ରହିଯାଇଛନ୍ତି। ପୁଲିସ ଜେସିବି ସହାୟତାରେ ମିନିଭ୍ୟାନ୍ଟିକୁ ରାସ୍ତାର ଉଠାଇଥିଲା। ପୁଲିସ କହିବା ଅନୁସାରେ, ଡ୍ରାଇଭର୍ ଢୋଳାଇ ପଡ଼ିବା ଯୋଗୁଁ ବା ଟାୟାର୍ ଫାଟିଯିବା କାରଣରୁ ମିନିଭ୍ୟାନ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।




















