Wednesday, August 19, 2026
ADVERTISEMENT
Home ଜାତୀୟ ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ୬ ମୃତ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ୬ ମୃତ

371
ADVERTISEMENT

ମୁମ୍ବାଇ ,୫/୮ ଏଜେନସି : ମହାରାଷ୍ଟ୍ରରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ମୁମ୍ବାଇ ଓ ସତାରାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ଘେରରେ ରହିଯାଇଥିବା ୪୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାୟୁସେନା ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନା ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଛି। ସାନ୍ତାକ୍ରୁଜ୍‌ ଅଞ୍ଚଳରେ ବଜ୍ରପାତରେ ମାଆପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ଧରାବୀରେ ଜଣେ ଯୁବକ ଭାସିଯାଇଛନ୍ତି । ପୁଣେରେ ଡ୍ରେନପାଣିରେ ଭାସିଯାଇ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ରାତିସାରା ପ୍ରବଳ ବର୍ଷା ଫଳରେ ମହାନଗରୀ ସମେତ ଆଖପାଖ ଅଞ୍ଚଳରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି । ରବିବାର ସକାଳେ ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପାଲଘର ଜିଲାରେ ଜଣେ ୧୬ ବର୍ଷର ନାବାଳକ ବନ୍ୟାପାଣିରେ ଭାସିଯାଇଛନ୍ତି । କ୍ରମାଗତ ଦୁଇଦିନ ଧରି ବର୍ଷା ଲାଗିରହିବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଠାଣେ, ପାଲଘର ଜିଲା ଓ ନଉ ମୁମ୍ବାଇ ସହରରେ ଦୁଇଦିନ ଧରି ଅନବରତ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ୨୪ ଘଣ୍ଟାରେ ମୁମ୍ବାଇରେ ୧୦୦ ମିଲିମିଟର ବର୍ଷା ହୋଇଥିବାବେଳେ ଠାଣେ ଓ ନଉ ମୁମ୍ବାଇରେ ୨୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ବିଭିନ୍ନ ରୁଟ୍‌ରେ ଲୋକାଲ ଟ୍ରେନ୍‌ ଚଳାଚଳ ବାତିଲ ଯୋଗୁ ଦୈନନ୍ଦିନ ଯାତ୍ରୀ ଅଫିସ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ରେଳଲାଇନ୍‌ ବର୍ଷାପାଣିରେ ବୁଡ଼ି ରହିଛି। ପୁଣେ-ମୁମ୍ବାଇ ଲାଇନରେ ମଧ୍ୟ ଟ୍ରେନ ଚଳାଚଳ ବନ୍ଦ ରହିଛି । ଦୁରନ୍ତୋ, କୋଣାର୍କ ଏକ୍ସପ୍ରେସ୍‌, ଅମୃତସର ଏକ୍ସପ୍ରେସ୍‌, ଦେବଗିରି ଏକ୍ସପ୍ରେସ ଭଳି ଦୂରଗାମୀ ଟ୍ରେନ୍‌ଗୁଡିକ ବିଭିନ୍ନ ସ୍ଥାନରେ ଅଟକି ରହିଛି। ବର୍ଷା ସାଙ୍ଗକୁ ଜୋରରେ ପବନ ବହିବା ଫଳରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଛି । ଯାହା ଫଳରେ ବର୍ଷାପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି। ମିଠି ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ବିପନ୍ନମାନଙ୍କୁ ରିଲିଫ କ୍ୟାମ୍ପକୁ ନିଆଯାଇଛି। ସେମାନଙ୍କୁ ଖାଦ୍ୟ ପ୍ୟାକେଟ ଓ ପାଣି ଯୋଗାଇ ଦିଆଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ବାର୍ଭି ଏବଂ ଉଲାସ ନଦୀକୂଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ଠାଣେ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଠାଣେ, ରତ୍ନଗିରି ଓ ପୁଣେରେ ସୋମବାର ସ୍କୁଲ କଲେଜ ଛୁଟି କରିଦିଆଯାଇଛି ।

Advertisement