କର୍ଣ୍ଣାଟକର ଶିବମୋଗା ସ୍ଥିତ କ୍ରସର୍‌ସ୍ଥଳରେ ଡିନାମାଇଟ୍‌ ବିସ୍ଫୋରଣରେ : ୮ ମୃତ

172
ADVERTISEMENT

ବେଙ୍ଗାଲୁରୁ,୨୨/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଶୁକ୍ରବାର ରାତିରେ କର୍ଣ୍ଣାଟକର ଶିବମୋଗ୍ଗା ଜିଲ୍ଲା ଅନ୍ତର୍ଗତ ହୁନାସୋଡୁ ଗ୍ରାମ ପାଖରେ ଥିବା ଏକ ରେଳବାଇ କ୍ରସ୍‌ର ପରିସରରେ ଡିନାମାଇଟ୍‌ ବିସ୍ଫୋରଣ କାରଣରୁ ଅନ୍ୟୂନ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ଜିଲ୍ଲାପାଳ କେବି ଶିବକୁମାର ଗଣମାଧ୍ୟମକୁ କହିଛନ୍ତି। ଗେଙ୍ଗୁଟି ଓ ଡେଣୁଆ ଭଳି ପଥରଖଣ୍ଡ ଚୂନା କରାଯାଉଥିବା ପରିସର ପାଖରେ ରାତି ପ୍ରାୟ ୧୦.୩୦ରେ ଘଟିଥିବା ଏହି ପ୍ରଚଣ୍ଡ ବିସ୍ଫୋରଣ କେବଳ ଶିବମୋଗ୍ଗା ନୁହେଁ ନିକଟବର୍ତ୍ତୀ ଚିକ୍କମାଗଲୁରୁ ଏବଂ ଦବନଗେରେ ଜିଲ୍ଲା ମଧ୍ୟ ଦୋହଲି ଯାଇଥିବା କୁହାଯାଉଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ବହୁ ଘରର ଝରକା କାଚ ଭାଙ୍ଗି ଚୂନା ଚୂନା ହୋଇଯାଇଥିବା ବେଳେ ରାସ୍ତାଘାଟରେ ଫାଟ ମଧ୍ୟ ସୃଷ୍ଟି ହୋଇଛି। ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଏହା ଭୂମିକମ୍ପ ନୁହେଁ, ଗ୍ରାମୀଣ ଥାନା ଅନ୍ତର୍ଗତ ଶିବମୋଗ୍ଗା ଉପକଣ୍ଠସ୍ଥିତ ହୁନସୁରରେ ଘଟିଥିବା ଏକ ବିସ୍ଫୋରଣର ଶବ୍ଦ ।
ଅନ୍ୟ ଜଣେ ପୁଲିସ ଅଧିକାରୀ କହିଛନ୍ତି, ଜେଲାଟିନ୍‌ ଷ୍ଟିକ୍‌ (ବିସ୍ଫୋରକ) ଯାଉଥିବା ଏକ ଲରି ଟ୍ରକ୍‌ରେ ଏହି ବିସ୍ଫୋରଣ ଘଟିଛି। ସେ ଟ୍ରକ୍‌ରେ ଥିବା ଛଅଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଆଖପାଖ ଅଞ୍ଚଳରେ ଏହି ବିସ୍ଫୋରଣ ସୃଷ୍ଟ କମ୍ପନ ଅନୁଭୂତ ହୋଇଥିଲା । ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧିପାଇ ପାରେ ବୋଲି ଅନୁମାନ । ଉକ୍ତ କ୍ରସର୍‌ ପରିସରରେ ସାଧାରଣତଃ ୫୦ ବାକ୍ସ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ଥାଏ । ଖବର ମିଳିବା ପରେ ଶିବମୋଗ୍ଗା ଏସ୍‌ପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ସମ୍ପୃକ୍ତ ଅଞ୍ଚଳରେ କାଳେ ଆହୁରି ବିସ୍ଫୋରଣ ଘଟିବ, ସେ ଆଶଙ୍କା ଏଡ଼ାଇବାକୁ ଏକ ସ୍ୱତନ୍ତ୍ର ବମ୍‌ ସ୍କ୍ଵାଡ୍‌ ପଠାଯାଇଛି।

Advertisement