ନୂଆଦିଲ୍ଲୀ,୨୨/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ନୋଏଡାର କୌଳାଶ ହସ୍ପିଟାଲରେ ବୋମା ଥିବା ସନ୍ଦିଗ୍ଧ ଫୋନ କଲ ପରେ ଶୁକ୍ରାବାର ସକାଳେ ସେକ୍ଟର-୬୩ରେ ବୋମା ଥିବା ଖବର ମିଳିଥିଲା। ଏହି ସୂଚନା ମିଳିବା ପରେ ଘଟଣାସ୍ଥଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଥିଲା । ସେଠାରେ ଲୋକଙ୍କ ଯାତାୟାତକୁ ବନ୍ଦ କରି ଦିଆଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ଡକା ଯାଇଥିଲା। ପ୍ରାରମ୍ଭିକ ଯାଞ୍ଚରେ ସେଠାରେ କୌଣସି ପ୍ରକାର ବୋମା କି ବିସ୍ଫୋରକ ପଦାର୍ଥ ମିଳି ନଥିଲା। ଏହାପୂର୍ବରୁ ଗୁରୁବାର ସନ୍ଧ୍ୟାରେ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ ଆସିଥିଲା କି କୌଳାଶ ହସ୍ପିଟାଲରେ ବୋମା ଅଛି। ହସ୍ପିଟାଲ ପ୍ରଶାସନର ସୂଚନା ମିଳିବା ପରେ ପୁଲିସ, ବୋମା ନିଷ୍କ୍ରିୟକାରୀ ଦଳ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହସ୍ପିଟାଲ ବେସମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋରକୁ ତୁରନ୍ତ ଖାଲି କରି ଦିଆଯାଇଥିଲା। ହସ୍ପିଟାଲକୁ ସମ୍ପୂର୍ଣ୍ଣ ଭାବେ ନୀରିକ୍ଷଣ କରିବା ପରେ ଅଧିକାରୀଙ୍କୁ ଘଟଣାସ୍ଥଳରୁ କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀ ମିଳି ନଥିଲା। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରି ନଥିଲା କି ଏହି ମିଥ୍ୟା କଲକୁ କିଏ କରିଥିଲା। ନୋଏଡା ପୁଲିସ ଏହି ଘଟଣାର ଯାଞ୍ଚ କରିବା ସହିତ ସନ୍ଦିଗ୍ଧ କଲ କିଏ କରିଥିଲେ ସେ ନେଇ ଖୋଲତାଡ଼ ଆରମ୍ଭ କରିଛି।




















