ନୂଆଦିଲ୍ଲୀ,୦୯/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଗତରାତି ପ୍ରାୟ ୨ଟା ବେଳେ ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଜେନେରାଲ୍ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଘଟି ପ୍ରାଣ ହରାଇଥିବା ୧୦ ଶିଶୁ ମୃତ୍ୟୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି। ଏହା ବ୍ୟତୀତ ପ୍ରତ୍ୟେକ ମୃତ ଶିଶୁଙ୍କ ଆତ୍ମୀୟମାନଙ୍କ ପାଇଁ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି। ଘଟଣା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଠାକ୍ରେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ, ଭଣ୍ଡାରା ଜିଲ୍ଲାପାଳ ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହି ଦୁଃଖଦାୟକ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ନେତା ରାହୁଳ ଗାନ୍ଧୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ମୂଲ୍ୟବାନ ଶିଶୁଙ୍କ ପ୍ରାଣ ଯାଇଥିବା ମହାରାଷ୍ଟ୍ରର ଭଣ୍ଡାରା ଘଟଣା ଅତ୍ୟନ୍ତ ଦୁଃଖଦାୟକ।
ସୂଚନାଯୋଗ୍ୟ, ସମ୍ଭବତଃ ବିଜୁଳି ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିବା ପରେ ଜିଲ୍ଲା ହସ୍ପିଟାଲ୍ରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ଧୂଆଁରେ ରୁନ୍ଧି ହୋଇ ମାସକରୁ ତିନି ମାସ ବୟସର ୧୦ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଜିଲ୍ଲା ସିଭିଲ୍ ସର୍ଜନ୍ ପ୍ରମୋଦ ଖଣ୍ଡାତେ କହିଛନ୍ତି କି, ୟୁନିଟ୍ରେ ୧୭ଜଣ ଶିଶୁ ଥିଲେ। ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଉଦ୍ଧାର କରାଯାଇଛି ।






















