ଦେଶରେ କରୋନା ସଂକ୍ରମିତ କୋଟିଏ ଟପିଲା : ମୃତ୍ୟୁ ଲକ୍ଷେ ୪୫ ହଜ‌ାର, ଆମେରିକା ପ୍ରଥମ, ଭାରତ ଦ୍ବିତୀୟ

196
ADVERTISEMENT

ନୂଆଦିଲ୍ଲୀ୨୦/୧୨(ଡ଼ି.ଏଚ/ବ୍ୟୁରୋ) : ଟିକା ପାଇଁ ଅପେକ୍ଷାର ଅନ୍ତ ଘଟିନଥିବା ବେଳେ ଆଜି ଦେଶରେ କରୋନା ସଂକ୍ରମଣ ସଂଖ୍ୟା କୋଟିଏ ଟପିଯାଇଛି। ଆମେରିକା ପରେ ବିଶ୍ବରେ ଦ୍ବିତୀୟ ରାଷ୍ଟ୍ର ଭାବେ ଭାରତରେ କରୋନା ସଂକ୍ରମଣ ଆଜି ୧ କୋଟି ଟପିଛି। ବିଶ୍ବବ୍ୟାପୀ ସାଢ଼େ ସାତ କୋଟି ଲୋକ କରୋନା ‌ସଂକ୍ରମିତ ହୋଇଛନ୍ତି। ଗତ ମାସରେ ପ୍ରଥମ ରାଷ୍ଟ୍ର ଭାବେ ଆମେରିକାରେ କରୋନା ସଂକ୍ରମଣ ୧ କୋଟି ଟପିଥିଲା। ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ଏବେ ୧ କୋଟି ୭୮ ଲକ୍ଷ ଟପିଯାଇଛି। ଆମେରିକା ପରେ ଭାରତ ଏବଂ ଭାରତ ପରେ ବ୍ରାଜିଲ୍‌ରେ ସଂକ୍ରମଣ ୭୧ ଲକ୍ଷ ୬୩ ହଜାର ଅତିକ୍ରମ କରିଛି।
ତେବେ ଦେଶରେ କରୋନା ସଂକ୍ରମଣ ୧ ରୁ ୧କୋଟିରେ ପହଞ୍ଚିବାପାଇଁ ୩୨୫ ଦିନ ଲାଗିଛି। ‌ ସଂକ୍ରମଣ ମାମଲା ପୂର୍ବାପେକ୍ଷା ବହୁତ କମ୍‌ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୫,୧୫୨ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି ଏବଂ ୩୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ୍‌ ସଂକ୍ରମଣ ସଂଖ୍ୟା ‌୧ କୋଟି ୪ ହଜାର ୫୯୯ରେ ପହଞ୍ଚିଛି ଏବଂ ୧ ଲକ୍ଷ ୪୫ ହଜାର ୧୩୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଚଳିତ ସପ୍ତାହ ଆରମ୍ଭରେ ଗୋଟିଏ ଦିନ ସଂକ୍ରମଣ ମାମଲା ୨୨,୦୬୫ ଥିଲା। ଏହା ୫ ମାସ ମଧ୍ୟରେ ସବୁଠୁ କମ୍‌ ସଂକ୍ରମଣ ଥିଲା । ଆରୋଗ୍ୟ ସଂଖ୍ୟା ମଧ୍ୟ ଆକସ୍ମିକ ଭାବେ ବୃଦ୍ଧି ପାଇଛି। ଗତ ମେ’ରେ ଆରୋଗ୍ୟଙ୍କ ସଂଖ୍ୟା‌ ୫୦ ହଜାର ଥିଲା। କିନ୍ତୁ ଡିସେମ୍ବରରେ ଏହା ୯୫ ଲକ୍ଷ ଟପିଯାଇଛି। ଦେଶରେ ଏବେ ମୃତ୍ୟୁହାର ୧.୪୫ ପ୍ରତିଶତ ରହିଛି ଏବଂ ପଜିଟିଭ୍‌ ହାର ୨.୧୪ ପ୍ରତିଶତ ରହିଛି। ଦେଶରେ କରୋନା ମୃତ୍ୟୁ ଏବେ ପ୍ରତି ୧୦ ଲକ୍ଷରେ ୧୦୪ ରହିଛି। ବିଶ୍ବରେ କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ୨୦ ରାଷ୍ଟ୍ର ମଧ୍ୟ‌ରେ କେବଳ ଇଣ୍ଡୋନେସିଆରେ କରୋନା ମୃତ୍ୟୁ ସବୁଠୁ କମ୍‌ ତଥା ପ୍ରତି ୧୦ ଲକ୍ଷରେ ୭୧ ରହିଛି। ଇଣ୍ଡୋନେସିଆ‌ ପରେ ଭାରତର କ‌ରୋନା ମୃତ୍ୟୁ ସବୁଠୁ କମ୍‌ ରହିଛି। ଦେଶରେ ସର୍ବାଧିକ ସଂକ୍ରମଣ ମାମଲା ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୮ ଲକ୍ଷ ୮୮ ହଜାର ସଂକ୍ରମଣ ମାମଲା ଥିବାବେଳେ ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ୯.୦୭ ଲକ୍ଷ, ଆନ୍ଧ୍ରପ୍ରଦେଶରେ ୮.୭୭ ଲକ୍ଷ, ତାମିଲନାଡ଼ୁରେ ୮.୦୪ ଲକ୍ଷ, କେରଳରେ ୬.୯୩ ଲକ୍ଷ ଏବଂ ଦିଲ୍ଲୀ‌ରେ ସଂକ୍ରମଣ ମାମଲା ୬.୧୪ ଲକ୍ଷ ରହିଛି। ଏହି ସମାନ ସମୟ ମଧ୍ୟରେ ହାରାହାରି ଦୈନିକ ମୃତ୍ୟୁ ଯଥାକ୍ରମେ ୧୧୨୪, ୯୮୫,୬୭୯ ଏବଂ ୫୨୯ ଥିଲା। ତେବେ ମାମଲା ୯୦ ଲକ୍ଷରୁ ୧ କୋଟିରେ ପହଞ୍ଚିବାପାଇଁ ୨୯ ଦିନ ଲାଗିଛି। ଏହି ୨୯ ଦିନରେ ହାରାହାରି ଦୈନିକ ମୃତ୍ୟୁ ମଧ୍ୟ ସବୁଠୁ କମ୍‌ ତଥା ୪୪୭ ରହିଛି।

Advertisement