ନୂଆଦିଲ୍ଲୀ,୧୧/୧୨(ଡ଼ି.ଏଚ/ବ୍ୟୁରୋ) : ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରିଙ୍କ ସମେତ ଚନ୍ଦ୍ରାବତରଣ କାର୍ଯ୍ୟକ୍ରମ ‘ଆର୍ଟେମିଜ୍’ ନିମନ୍ତେ ତାଲିମ ନେବାକୁ ଥିବା ୧୮ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛି ‘ନାସା’। ଏହି ଟିମ୍ର ଅର୍ଦ୍ଧେକ ହେଉଛନ୍ତି ମହିଳା। ଏହିମାନଙ୍କ ମଧ୍ୟରୁ ପ୍ରଥମ କରି ଜଣେ ମହିଳା ଚନ୍ଦ୍ରରେ ଅବତରଣ କରିବେ। ଏଥିରୁ ଜଣେ ପୁରୁଷ ମଧ୍ୟ ଚନ୍ଦ୍ରରେ ଅବତରଣ କରିବେ । ସମ୍ବାଦ ସରବରାହ ସଂସ୍ଥାନ ‘ଆଇଏଏନ୍ଏସ୍’ ରିପୋର୍ଟ ଅନୁସାରେ, ୨୦୧୭ରେ ଚାରି ‘ଆଷ୍ଟ୍ରୋନଟ୍ କର୍ପସ୍ ଗ୍ରୁପ୍’ରେ ଯୋଗ ଦେଇଥିଲେ। ଯୁକ୍ତରାଷ୍ଟ୍ର ଆମେରିକା ବାୟୁସେନାରେ କର୍ଣ୍ଣେଲ୍ ଥିବା ଚାରି ଆଇଓ୍ଵାର ସିଡାର୍ ଫଲ୍ ଅଞ୍ଚଳରେ ଲାଳିତପାଳିତ ହୋଇଥିଲେ। ସେ ‘ଆଷ୍ଟ୍ରୋନଟିକାଲ୍ ଇଞ୍ଜିନିୟରିଙ୍ଗ୍’ରେ ସ୍ନାତକ ହାସଲ କରିବା ପରେ ‘ଏରୋନଟିକ୍ସ୍’ ଏବଂ ‘ଆଷ୍ଟ୍ରୋନଟିକ୍ସ୍’ରେ ସ୍ନାତକତ୍ତୋର ହାସଲ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ତଥା ‘ନ୍ୟାସ୍ନାଲ୍ ସ୍ପେସ୍ କାଉନ୍ସିଲ୍’ର ଅଧ୍ୟକ୍ଷ ମାଇକ୍ ପେନ୍ସ୍ ବୁଧବାର ଦିନ ଏହି ମହାକାଶଚାରୀମାନଙ୍କ ସହ ପରିଚିତ ହୋଇଥିଲେ। ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ସେଣ୍ଟର୍ରେ ଏହି ମହାକାଶଚାରୀମାନଙ୍କ ନାମ ଘୋଷଣା କରାଯାଇଥିଲା। ‘ନାସା’ର ପ୍ରଶାସକ ଜିମ୍ ବ୍ରାଇଡେନ୍ଷ୍ଟାଇନ୍ ଗୁରୁତ୍ୱାରୋପ କରି କହିଲେ ଯେ, ଏହି ଟିମ୍ରେ ଆହୁରି ଅନେକ ମହାକାଶଚାରୀ ଯୋଗଦେବେ। ‘ନାସା’ର ୪୭ଜଣ ସକ୍ରିୟ ମହାକାଶଚାରୀ ଅଛନ୍ତି। ୨୦୨୪ ସୁଦ୍ଧା ‘ନାସା’ ଏହି ଚନ୍ଦ୍ରାବତରଣ ଯୋଜନା ପାଇଁ ଲକ୍ଷ୍ୟ ରଖିଛି । ‘ନାସା’ର ଅର୍ଦ୍ଧେକ ମହାକାଶଚାରୀମାନଙ୍କର ମହାକାଶଯାନରେ ଯାତ୍ରା ଅଭିଜ୍ଞତା ଅଛି। ସମ୍ପ୍ରତି କେଟ୍ ରୁବିନ୍ସ୍ ଏବଂ ଭିକ୍ଟୋର୍ ଗ୍ଲୋଭର୍ ନାମକ ଦୁଇଜଣ ମହାକାଶଚାରୀ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଅବସ୍ଥାନ କରୁଛନ୍ତି।






















