କଶ୍ମୀର, ୨୮/୭ ଏଜେନସି : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାର ତଦନ୍ତ କରୁଥିବା ନେସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି ରବିବାର ଦିନ ଉତ୍ତର କଶ୍ମୀରର ବାରମୂଳାର ଚାରିଟି ସ୍ଥାନରେ ଚଢ଼ାଉ କରିଛି । ଏବେ ମଧ୍ୟ ସମ୍ପୃକ୍ତ ସ୍ଥାନଗୁଡ଼ିକରେ ଚଢ଼ାଉ ଜାରି ରହିଛି । ଶୁକ୍ରବାର ଦିନ ମଧ୍ୟ ଏହି କେନ୍ଦ୍ରୀୟ ଏଜେନ୍ସି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଉତ୍ତର କଶ୍ମୀରର ବାରମୂଳା ଜିଲ୍ଲାର ସାପୋର ଅନ୍ତର୍ଗତ କ୍ରାଙ୍କଶିବନ ଅଞ୍ଚଳର ବ୍ୟବସାୟୀ ସାନାଉଲ୍ଲା ଭଟଙ୍କ ଘରେ ଚଢ଼ାଉ କରିଥିଲା। ଏ ସପ୍ତାହର ପ୍ରାରମ୍ଭରେ ମଧ୍ୟ ଏଜେନ୍ସି ପୁଲ୍ଓ୍ଵାମା ଏବଂ ଶ୍ରୀନଗରର ସାତଟି ସ୍ଥାନରେ କେତେକ ବ୍ୟବସାୟୀଙ୍କ ଘରେ ତଲାସ କରୁଥିଲେ । ସେମାନେ ନିୟନ୍ତ୍ରଣରେଖା ସେପାରି ବାଣିଜ୍ୟରେ ସମ୍ପୃକ୍ତ ଏବଂ ଜମ୍ମୁ ଓ କଶ୍ମୀରରେ ଅସ୍ଥିରତା ସୃଷ୍ଟି କରାଇବା ପାଇଁ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ଅର୍ଥ ଯୋଗାଉଥିଲେ । ପ୍ରମାଣ ସଂଗ୍ରହ ପାଇଁ ନେସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସିର କେତେକ ଦଳ ଏବଂ ରାଜ୍ୟ ପୁଲିସ ଓ ପାରାମିଲିଟାରି ଫୋର୍ସ ଅତର୍କିତ ଚଢ଼ାଉ କରିଥିଲେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି ।