ନୂଆଦିଲ୍ଲୀ, ୯/୭(ଡି.ଏଚ.ବି) : କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ ବା ସି.ବି.ଆଇ. ସାରା ଦେଶର ୧୧୦ଟି ସ୍ଥାନରେ ଆଜି ରେଡ କରିଛି | ୧୯ଟି ରାଜ୍ୟ ଓ ସବୁ କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ଏହି ଚଢ଼ାଉ କରାଯାଇଥିବାବେଳେ ସର୍ଚ୍ଚ ଅପରେସନ ଜାରି ରହିଛି | ସିବିଆଇ ଏହି ସମୟରେ ଭ୍ରଷ୍ଟାଚାର ଓ ଦୁର୍ନୀତି ସମ୍ବଦ୍ଧିତ ୨୦ଟି ମାମଲା ମଧ୍ୟ ରୁଜୁ କରିଛି | ଜୁଲାଇ ୨ ତାରିଖରେ ମଧ୍ୟ ସିବିଆଇ ପକ୍ଷରୁ ବ୍ୟାଙ୍କ ଋଣ ନେଇଥିବା ଖିଲାପକାରୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ କରାଯାଇଥିଲା | ସିବିଆଇ ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ପ୍ରାୟ ୫୦ଟି ସ୍ଥାନରେ ଚଢ଼ାଉ କରିଥିଲା | ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ୧୮ଟି ସହରରେ ଥିବା କମ୍ପାନୀ, ଠକ କମ୍ପାନୀର ନିର୍ଦ୍ଦେଶକ ଓ ବ୍ୟାଙ୍କ ଅଧିକାରୀଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା | ପାଖାପାଖି ୬୪୦ କୋଟି ଟଙ୍କାର ଚଢ଼ାଉ କରାଯାଇଥିବାବେଳେ ଦିଲ୍ଲୀ, ଚଣ୍ଡୀଗଡ଼, ମୁମ୍ବାଇ,ସୁରଟ ସହର ସାମିଲ ଥିଲା | ଆଜି ଦିଲ୍ଲୀ, ଚଣ୍ଡୀଗଡ଼, ଶ୍ରୀନଗର, ପୁଣେ, ଜୟପୁର, କାନପୁର, ରାୟପୁର, ହାଇଦ୍ରାବାଦ, କୋଲକାତା, ରାଉରକେଲା, ରାଞ୍ଚିରେ ଚଢ଼ାଉ କରାଯାଇଛି |