ବାଲେଶ୍ବର, ୭/୭ (ଡି.ଏଚ.ବି): ବିଶ୍ବର ବିରଳ ଜୀବ ତାଲିକାର ବେଶ୍ ଉପରେ ରହିଛି ‘ନୀଳରକ୍ତ କଙ୍କଡ଼ା’। ଏହାର ରକ୍ତ ଧଳା ହୋଇଥିବା ବେଳେ ବାୟୁ ସଂସ୍ପର୍ଶରେ ଆସିଲେ ନୀଳ ହୋଇଯାଏ। ବିଲୁପ୍ତି ବିପଦରେ ଥିବା ଏହି ନୀଳରକ୍ତ କଙ୍କଡ଼ା ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚାକୁ ଆସିଛି। ଗତ ମାସରେ ଚୀନ ସ୍ଥିତ କିନଜୋ ସିଟିରେ ନୀଳରକ୍ତ କଙ୍କଡ଼ାକୁ ନେଇ ଅନୁଷ୍ଠିତ ୬ ଦିନିଆ କର୍ମଶାଳା ଏହାର ଗୁରୁତ୍ବକୁ ପ୍ରମାଣିତ କରୁଛି। ପ୍ରତିବର୍ଷ ଜୁନ୍ ୨୦ ତାରିଖକୁ ଅନ୍ତର୍ଜାତୀୟ ନୀଳରକ୍ତ କଙ୍କଡ଼ା ଦିବସ ଭାବେ ପାଳନ କରାଯିବା ନେଇ ଦିନ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି।
ରକ୍ତର ରଂଗକୁ ନେଇଏହି ଜୀବର ନାମ ନୀଳରକ୍ତ କଙ୍କଡ଼ା ହୋଇଥିବାବେଳେ ଆକାର ଅନୁସାରେ ଏହାର ନାମକରଣ ଅଶ୍ବଖୁରାକୃତି ବୋଲି ମଧ୍ୟ କରାଯାଇଛି। କେହି କେହି ଏହାକୁ କଙ୍କଉ କହୁଥିବା ବେଳେ କେହି କେହି ଲକ୍ଷ୍ମଣ ପାତିଆ, ରାମଲକ୍ଷ୍ମଣ, ରାମଲିଖନ ବୋଲି ମଧ୍ୟ କହନ୍ତି। ପ୍ରାୟ ୮୪୦ ନିୟୁତ ବର୍ଷ ପୂର୍ବରୁ ଆର୍ଥୋପଡ଼ା ତ୍ରିକୋଲିଟାଠାରୁ ଏହି କଙ୍କଡ଼ାର ବଂଶୋଭବ ହୋଇଥିବା ଅନୁମାନ କରାଯାଉଛି। ପୃଥିବୀର ୭ଟି ମହାଦେଶ ମଧ୍ୟରୁ କେବଳ ଆମେରିକା ଓ ଏସିଆ ମହାଦେଶରେ ଏହା ଦେଖାଯାଏ। ବିଶେଷ କରି ଭାରତରେ ଏହି କଙ୍କଡ଼ାର ଉପସ୍ଥିତି ସବୁଠାରୁ ଅଧିକ। ଓଡ଼ିଶାର ବାଲେଶ୍ବର ଚାନ୍ଦିପୁର, ବଳରାମଗଡ଼ି, ଖଣ୍ଡିଆ ନଦୀ ମୁହାଣ, ଧାମରା ଉପକୂଳବର୍ତ୍ତୀ ଅଞ୍ଚଳକୁ ନୀଳରକ୍ତ କଙ୍କଡ଼ା ଅଧିକ ଅନୁକୂଳ ମନେକରନ୍ତି। ୪ଟି ପ୍ରଜାତି ମଧ୍ୟରୁ ଏଠାରେ ଦୁଇଟି ପ୍ରଜାତିର କଙ୍କଡ଼ା ଦୃଷ୍ଟିଗୋଚର ହୁଅନ୍ତି। ସବୁ ପରିବେଶ ସହିତ ଖାପ୍ ଖୁଆଇବା ରହିବା ପାଇଁ ଏମାନେ ସମର୍ଥ ଥିବା ବେଳେ ଶାନ୍ତ ସମୁଦ୍ର ଓ ନଦୀ ମୁହାଣରେ ରହିବାକୁ ପସନ୍ଦ କରିଥାଆ’ନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସେମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ନ ଥିବାରୁ ଅଣ୍ଡା ଦେଇସାରି ଗଭୀର ଜଳଭାଗକୁ ପଳାଇଯାଆନ୍ତି। ତେେବ ପ୍ରଶ୍ନ ଉଠିବା ସ୍ବଭାବିକ ଯେ ନୀଳରକ୍ତ କଙ୍କଡ଼ାର ଏତେ ଗୁରୁତ୍ବ କାହିଁକି। ଉତ୍ତରରେ ଏତିକି କୁହାଯାଇପାରିବ; ଏହି କଙ୍କଡ଼ାର ଜୀବସତ୍ତା ଓ ବିଜ୍ଞାନ ସହ ଏକ ନିବିଡ଼ ସଂପର୍କ ରହିଛି। ଏହାର ରକ୍ତ କୋଷ ତଥା ଶରୀରରେ ମହଜୁଦ ଥିବା ପ୍ରୋଟିନ୍କୁ ଆଧାର କରି ଅତିକ୍ଷୁଦ୍ର ବ୍ୟାକ୍ଟେରିଆର ସ୍ଥିତି ସଂପର୍କରେ ଜାଣିବା ସମ୍ଭବ ହୋଇପାରୁଛି। ଏହି କ୍ରମରେ ‘ନାସା’ ମହାକାଶରେ ଜୀବନର ସଂଧାନ ପାଇଁ ନୀଳରକ୍ତ କଙ୍କଡ଼ାକୁ ମାଧ୍ୟମ କରିଛି। ସେହିପରି ଚୀନ ଓ ଜାପାନ ଗବେଷକମାନେ ଏହି କଙ୍କଡ଼ା ଶରୀରରେ ‘ଟାକାଇପ୍ଲେସଇନ୍’ ନାମକ ଏକ ପ୍ରୋଟିନ୍ ଥିବା ଅନୁସନ୍ଧାନ କରି ଜାଣିବାକୁ ପାଇଛନ୍ତି। ଯାହା କ୍ୟାନ୍ସର ଓ ଏଚ୍ଆଇଭି ଭାଇରସ୍କୁ ପ୍ରତିହତ କରିବାର କ୍ଷମତା ରଖୁଛି। ତେବେ ଖୁସିର କଥା ଯେ ଓଡ଼ିଶାରେ ମଧ୍ୟ ଏହାର ଗବେଷଣା ଆରମ୍ଭ ହୋଇଯାଇଛି। ପୂର୍ବରୁ ପ୍ରଫେସର ଅନୀଲ ଚାଟାର୍ଜୀ ଓ ଜୟନ୍ତ ମିଶ୍ର ନୀଳରକ୍ତ କଙ୍କଡ଼ା ଉପରେ ଗବେଷଣା କରିଛନ୍ତି। ସେହିପରି ୨୦୦୫ ମସିହାରେ ପ୍ରଫେସର ବିଷ୍ଣୁପ୍ରସାଦ ଦାସ ଏଫ୍ଏମ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଗବେଷଣା ଆରମ୍ଭ କରିଥିବା ବେଳେ ଏଥିପାଇଁ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ୩୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିପରି ବେସରକାରୀ ସ୍ତରରେ ମଧ୍ୟ ଉକ୍ତ କଙ୍କଡ଼ାର ସୁରକ୍ଷା ଦିଗରେ ବାଲେଶ୍ବର ‘ଆସୋସିଏସନ୍ ଫର୍ ବାୟୋଡାଇଭରସିଟି କନ୍ଜରଭେସନ’ ନାମକ ସଂଗଠନ କାମ କରୁଛି।