ଭୁବନେଶ୍ବର, ୬/୭ (ଡି.ଏଚ.ବି): ନକଲି ସାର୍ଟିଫିକେଟ୍ ଉପରେ ଲାଗିବ ରୋକ୍। ଜାଲିଆତି କରି ବାହାରୁ ସାର୍ଟିଫିକେଟ୍ ଓ ମାର୍କସିଟ୍ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀ ଧରାପଡ଼ିବେ। ଏଥିସହ ବିଶ୍ବର ଯେକୌଣସି ସ୍ଥାନରେ ଥିଲେ ବି ଛାତ୍ରଛାତ୍ରୀ ସେମାନଙ୍କ ସାର୍ଟିଫିକେଟ୍ ଓ ମାର୍କସିଟ୍ ସହଜରେ ପାଇପାରିବେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନ୍ୟାସନାଲ ଏକାଡେମିକ୍ ଡିପୋଜିଟୋରି (ନାଡ୍) ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମାର୍କସିଟ୍ ଓ ସାର୍ଟିଫିକେଟ୍ ଆଦିର କମ୍ପ୍ୟୁଟରୀକରଣ କରାଯାଇ ସର୍ଭର୍ରେ ରଖାଯିବ। ଛାତ୍ରଛାତ୍ରୀ ଯେତେବେଳେ ଚାହିଁବେ, ସେଠାରୁ ନିଜର ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ। ଏହି ବ୍ୟବସ୍ଥାରେ ପିଲାଙ୍କ ସାର୍ଟିଫିକେଟ୍ ଓ ମାର୍କସିଟ୍ ନଷ୍ଟ ହେବାର ସମ୍ଭାବନା ନାହିଁ। ବିଶ୍ବବିଦ୍ୟାଳୟ ଓ କଲେଜରୁ ସାର୍ଟିଫିକେଟ୍ ପାଇବା ଲାଗି ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ କି ବାରମ୍ବାର ଦୌଡ଼ିବାକୁ ପଡ଼ିବନି। ଗୋଟିଏ କ୍ଲିକ୍ରେ ଜଣେ ବିଦ୍ୟାର୍ଥୀ ସହଜରେ ମାର୍କସିଟ୍ ଓ ସାର୍ଟିଫିକେଟ୍ ପାଇପାରିବ।
୨୦୧୭ରୁ ନାଡ୍ ବ୍ୟବସ୍ଥା ହୋଇଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କିମ୍ବା ଛାତ୍ରଛାତ୍ରୀ ଏ ବିଷୟରେ ଅବଗତ ନାହାନ୍ତି। ଏଥିପାଇଁ ଏବେ ସୁଦ୍ଧା ଓଡ଼ିଶାରୁ ବହୁ କମ୍ ଛାତ୍ରଛାତ୍ରୀ ନାଡ୍ ପୋର୍ଟାଲରେ ନାମ ପଞ୍ଜୀକରଣ କରିଛନ୍ତି। ନାଡ୍ର ପରାମର୍ଶଦାତା ପୀୟୁଷ ବିଶ୍ବାସ କହିଛନ୍ତି ଯେ ଦେଶର ୧ହଜାର ୪୩ଟି ବିଶ୍ବବିଦ୍ୟାଳୟ ପଞ୍ଜୀକରଣ କରିସାରିଛନ୍ତି। ୪ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଅପ୍ଲୋଡ୍ ହୋଇସାରିଛି। ତେବେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ନଗଣ୍ୟ ରହିଛି। ସଚେତନତା ଅଭାବରୁ ଏବେ ସୁଦ୍ଧା ଦେଶର ମାତ୍ର ୫ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ପୋର୍ଟାଲରେ ନାମ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ କରି ନଥିବା ଛାତ୍ରଛାତ୍ରୀ ଅନ୍ଲାଇନ୍ରୁ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ ନାହିଁ। ଏବେ ସୁଦ୍ଧା ଓଡ଼ିଶାରେ ୩୩ଟି ଶିକ୍ଷାନୁଷ୍ଠାନ ପଞ୍ଜୀକରଣ କରିଛନ୍ତି। ଏକ ଲକ୍ଷ ୩୩ ହଜାର ସାର୍ଟିଫିକେଟ୍ ଅପ୍ଲୋଡ୍ ହୋଇଛି। ତେବେ ଏହି ସଂଖ୍ୟା ବହୁତ କମ୍। ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବ କିମ୍ବା ପରୀକ୍ଷା ନିୟନ୍ତ୍ରକ ହିଁ ସାର୍ଟିଫିକେଟ୍ ଅପ୍ଲୋଡ୍ କରିପାରିବେ। ସାର୍ଟିଫିକେଟ୍ ଜାଲିଆତି ହେବାର ସମ୍ଭାବନା ନାହିଁ। ହ୍ୟାକ୍ କରି କେହି ସାର୍ଟିଫିକେଟ୍ ନେଇପାରିବେ ନାହିଁ। ପୋର୍ଟାଲରେ ପଞ୍ଜୀକରଣ ସହ ପିଲାମାନଙ୍କୁ ଆଧାର କାର୍ଡ ନମ୍ବର ଦେବାକୁ ପଡ଼ିବ। ପଞ୍ଜୀକରଣ ପରେ ପିଲାମାନଙ୍କୁ ଏକ କୋଡ୍ ମିଳିବ। ଯାହାକୁ ନେଇ ସେମାନେ ଲଗ୍-ଇନ୍ କରି ସାର୍ଟିଫିକେଟ୍ ପାଇପାରିବେ। କୌଣସି ଚାକିରି କିମ୍ବା ଉଚ୍ଚଶିକ୍ଷା ଲାଗି ଛାତ୍ରଛାତ୍ରୀଙ୍କ ଆଉ ସାର୍ଟିଫିକେଟ୍ର ଆଟେଷ୍ଟେଡ୍ ଫଟୋ କପି, ଓରିଜିନାଲ ସାର୍ଟିଫିକେଟ୍ ଯାଞ୍ଚ କରିବାକୁ ପଡ଼ିବ ନାହିଁ। ସ୍କୁଲଠାରୁ ଆରମ୍ଭ କରି ଯୁକ୍ତ୨, ଯୁକ୍ତ୩, ପିଜି, ଏମ୍ ଫିଲ୍, ପିଏଚ୍ଡି ଆଦି ସାର୍ଟିଫିକେଟ୍ ଉପଲବ୍ଧ ହେବ।