ନୂଆଦିଲ୍ଲୀ, ୪/୭ (ଡି.ଏଚ.ବି) : ସାରା ଦେଶରେ ଏକ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା ଆରମ୍ଭ କରିବାକୁ ଅର୍ଥନୈତିକ ସର୍ଭେରେ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଏହା ଦ୍ୱାରା ବିଭିନ୍ନ ମଜୁରୀ ମଧ୍ୟରେ ଥିବା ଅସମତା ଦୂର ହେବ ଓ ଗରିବ ଲୋକମାନେ ବିଶେଷଭାବେ ଉପକୃତ ହେବେ । ଆମ ଦେଶରେ ମୋଟ ଶ୍ରମ ଶକ୍ତିର ପ୍ରାୟ ଅଧା ମହିଳାମାନେ ହୋଇଥିଲେ ମଧ୍ୟ ପୁରୁଷ ଓ ମହିଳା ଶ୍ରମିକମାନଙ୍କ ମଜୁରୀ ମଧ୍ୟରେ ଫରକ ଥାଏ । ସର୍ବନିମ୍ନ ମଜୁରୀ ବ୍ୟବସ୍ଥା ଲାଗୁ ହେବା ପରେ ଏହି ସମସ୍ୟା ଦୂରହେବ । ସର୍ଭରେ କୁହାଯାଇଛି ଯେ ସରକାର ଏକ ନାସନାଲ ଫ୍ଲୋର ମିନିମମ େଓ୍ଵଜ ବ୍ୟବସ୍ଥା ଆରମ୍ଭ କରିବା ଆବଶ୍ୟକ । ଦେଶର ୫ଟି ଭୌଗୋଳିକ ଅଂଚଳ ଅନୁସାରେ ୫ ପ୍ରକାରର ଜାତୀୟ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା ଆରମ୍ଭ ହେବା ଆବଶ୍ୟକ । ଏହା ଅନୁସାରେ ରାଜ୍ୟମାନେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବେ, କିନ୍ତୁ ତାହା ଜାତୀୟ ସର୍ବନିମ୍ନ ମଜୁରୀଠାରୁ କମ ହେବ ନାହିଁ । ଏହା ଫଳରେ ସାରା ଦେଶରେ ମଜୁରୀ କ୍ଷେତ୍ରରେ ସମତା ଆସିବ । ଏହା ଦ୍ୱାରା ଅନ୍ୟରାଜ୍ୟକୁ ଶ୍ରମିକ ମାନଙ୍କ ପଳାୟନ ବନ୍ଦ ହେବ । ଏହି ବ୍ୟବସ୍ଥା ଲାଗୁ କରିବା ଲାଗି ସରକାର ମଜୁରୀ ଆଇନ ବିଲ ରେ ଥିବା ପ୍ରସ୍ତାବ ଗୁଡ଼ିକ ଅନୁସରଣ କରିବା ଆବଶ୍ୟକ ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି ।