କୋଭିଡ-୧୯ ମୁକାବିଲା ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

316
ADVERTISEMENT


• ନିରନ୍ତର ସତର୍କତା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ
• ମହାମାରୀ ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କାର୍ଯ୍ୟ କରିବା ଉଚିତ : ପ୍ରଧାନମନ୍ତ୍ରୀ
• ଭୂତାଣୁ ସଂକ୍ରମଣ ରୋକିବା ଲାଗି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛୁ, ଭୟଭୀତ ହେବା ଅନାବଶ୍ୟକ : ପ୍ରଧାନମନ୍ତ୍ରୀ
• କୋଭିଡ-୧୯ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ପ୍ରଭାବକୁ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୨୧/୦୩ (ଡ଼ିଏଚ) : କରୋନା ଭୂତାଣୁ (କୋଭିଡ-୧୯) ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

ମିଳିମିଶି ସମସ୍ୟାର ମୁକାବିଲା

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାମାରୀ ସବୁ ରାଜ୍ୟ ପାଇଁ ସମାନ ବିପଦ ଆଣିଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ୟ୍ୟ କରିବା ଲାଗି ସେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଏହି ଆହ୍ୱାନର ମୁକାବିଲା ଲାଗି ନାଗରିକମାନଙ୍କ ସମ୍ପୃକ୍ତି ଜରୁରି, କିନ୍ତୁ ଏଥିରେ ଭୟଭୀତ ହେବା ଉଚିତ ନୁହେଁ । ସାରା ବିଶ୍ୱରେ ଏହି ମହାମାରୀ ଦ୍ରୁତ ବେଗରେ ପ୍ରସାରିତ ହେଉଥିବାରୁ ନିରନ୍ତର ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସେ କହିଥିଲେ ଯେ ଆସନ୍ତା ୩-୪ ସପ୍ତାହ ଭୂତାଣୁ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ନେବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏହାକୁ ରୋକିବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ‘ସୋସିଆଲ ଡିଷ୍ଟାନ୍ସିଂ’ ବା ସାମାଜିକ ଦୂରତା । ଏହାକୁ ପ୍ରଭାବୀ ଢଙ୍ଗରେ କାର୍ୟ୍ୟକାରୀ କରିବା ଲାଗି ସେ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ ।

ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପ

ଭୂତାଣୁ ସଂକ୍ରମଣ ନିରାକରଣ ଦିଗରେ ବର୍ତ୍ତମାନ ସୁଦ୍ଧା ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ପ୍ରଧାନମନ୍ତ୍ରୀ କିଭଳି ବ୍ୟକ୍ତିଗତ ଭାବେ ସମସ୍ତ ପଦକ୍ଷେପର ଅନୁଧ୍ୟାନ ଏବଂ ନିରୀକ୍ଷଣ କରୁଛନ୍ତି ସେ ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ସୁଶ୍ରୀ ପ୍ରୀତି ସୁଦାନ ସୂଚନା ଦେଇଥିଲେ । ରାଜ୍ୟଗୁଡ଼ିକ ସହିତ ସମନ୍ୱୟ, ଅନ୍ତର୍ଜତୀୟ ଯାତ୍ରୀଙ୍କୁ ନିରୀକ୍ଷଣ, ସଂକ୍ରମଣ ରୋକିବା ଲାଗି ଗୋଷ୍ଠୀ ନିରୀକ୍ଷଣ, ପରୀକ୍ଷା ସୁବିଧା ପାଇଁ ସରଞ୍ଜାମ ଯୋଗାଣ, ଯାତ୍ରା କଟକଣା ଏବଂ ବିଦେଶରେ ଫସିଥିବା ଭାରତୀଙ୍କ ଉଦ୍ଧାର ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେ ସଂକ୍ଷିପ୍ତ ସୂଚନା ଦେଇଥିଲେ ।

ଆଇସିଏମଆର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଥିଲେ ଯେ ଭାରତ ବର୍ତ୍ତମାନ ସଂକ୍ରମଣର ଦ୍ୱିତୀୟ ପର୍ୟ୍ୟାୟରେ ରହିଛି । ତୃତୀୟ ପର୍ୟ୍ୟାୟ ସଂକ୍ରମଣ ବିପଦ ହ୍ରାସ କରିବା ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଚିକିତ୍ସା ସୁବିଧାର ନ୍ୟାୟୋଚିତ ଉପଯୋଗ ଉପରେ ସେ ଗୁରୁତ୍ୱାରୋପ କରିବା ସହିତ କ୍ୱାରେଂଟାଇନ ଏବଂ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରିବା ଉପରେ ଜୋର ଦେଇଥିଲେ ।

ମୁଖ୍ୟମନ୍ତ୍ରୀମାନଙ୍କ ପ୍ରତିକ୍ରିୟା

କୋଭିଡ-୧୯ ମୁକାବିଲା ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ପ୍ରଭାବକୁ ପ୍ରଶଂସା କରିଥିଲେ ।

ବର୍ତ୍ତମାନ ସୁଦ୍ଧା ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀମାନେ ଅବଗତ କରାଇଥିଲେ । ଏହି ଅବସରରେ ସେମାନେ ପରୀକ୍ଷା ସୁବିଧା, ଦୁର୍ବଳ ବର୍ଗଙ୍କୁ ଅଧିକ ସହାୟତା, ୨୦୨୦-୨୧ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ଅଗ୍ରୀମ ଅର୍ଥ ଆବଂଟନ ଏବଂ ଘରୋଇ ପରୀକ୍ଷାଗାର ଓ ଡାକ୍ତରଖାନାଗୁଡ଼ିକୁ ଅଧିକ ସଂଖ୍ୟାରେ ପ୍ରସ୍ତୁତ କରିବା ନିମନ୍ତେ ସହାୟତା କରିବା ଲାଗି ଅନୁରୋଧ କରିଥିଲେ ।

ସବୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହାୟତା ପାଇଁ ଆଶ୍ୱାସନା ଦେବା ସହିତ ଏହି ମହାମାରୀ ରୋକିବା ଲାଗି ସମସ୍ତେ ମିଳିମିଶି କାର୍ୟ୍ୟ କରିବେ ବୋଲି ଦୋହରାଇଥିଲେ ।

ସହାୟତା ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା

ରାଜ୍ୟଗୁଡ଼ିକ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ସେମାନଙ୍କ ଅଭିଜ୍ଞତା ଓ ପରାମର୍ଶ ବାଂଟିବା ପାଇଁ ଧନ୍ୟବାଦ ଜଣାଇଥିଲେ । ସ୍ୱାସ୍ଥ୍ୟକର୍ମୀଙ୍କ ସାମର୍ଥ୍ୟ ବୃଦ୍ଧି ଓ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ବଢ଼ାଇବା ଉପରେ ସେ ଆଲୋକପାତ କରିଥିଲେ । କଳାବଜାରୀ ଓ ଅହେତୁକ ଦର ବୃଦ୍ଧିର ମୁକାବିଲା ଲାଗି ରାଜ୍ୟର ବାଣିଜ୍ୟ ସଂଗଠନଗୁଡ଼ିକ ସହିତ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିପାଇଁ ସହମତି ଲୋଡ଼ିବା ସହିତ ଆବଶ୍ୟକ ହେଲେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା କୋଭିଡ-୧୯ ଆର୍ଥିକ କାର୍ୟ୍ୟାନୁଷ୍ଠାନ ଟାସ୍କ ଫୋର୍ସ ଅର୍ଥନୈତିକ ଆହ୍ୱାନକୁ ପ୍ରଭାବୀ ଢଙ୍ଗରେ ମୁକାବିଲା ଲାଗି ରଣନୀତି ପ୍ରସ୍ତୁତ କରିବ । ସମସ୍ତ ଜରୁରି ପଦକ୍ଷେପ ଗ୍ରହଣ କରିବା ତଥା ବ୍ୟାପକ ଭାବେ ନାଗରିକମାନଙ୍କ ସୁରକ୍ଷା ଲାଗି ସମସ୍ତ ମାର୍ଗଦର୍ଶିକା ପାଳନ ସୁନିଶ୍ଚିତ କରିବା ନିମନ୍ତେ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ । କୋଭିଡ-୧୯ ମୁକାବିଲା ଲାଗି ଆମର ମିଳିତ ପ୍ରୟାସରେ କିଛି ଅଭାବ ରହିବା ଅନୁଚିତ ବୋଲି ସେ ମତବ୍ୟକ୍ତ କରିଥିଲେ ।

Advertisement