ନୂଆଦିଲ୍ଲୀ,୧୫।୧(ଡି.ଏଚ) : ଆମେରିକାରେ ଭାରତର ନୂଆ ରାଷ୍ଟ୍ରଦୂତ ଭାବେ ତରଣଜିତ ସିଂଙ୍କୁ ନିଯୁକ୍ତି ମିଳିଛି | ତରଣଜିତ ସିଂ ବର୍ତ୍ତମାନ ଶ୍ରୀଲଙ୍କାରେ ଭାରତର ରାଷ୍ଟ୍ରଦୂତ ଥିବାବେଳେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି | ତରଣଜିତ ସିଂ ବର୍ତ୍ତମାନ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ହର୍ଷବର୍ଦ୍ଧନ ଶୃଙ୍ଗଳାଙ୍କ ସ୍ଥାନ ନେବେ | ଏଠାରେ ସୂଚନା ଥାଉ କି ହର୍ଷବର୍ଦ୍ଧନ ଶୃଙ୍ଗଳାଙ୍କୁ ନୂଆ ବିଦେଶ ସଚିବ ଭାବେ ନିଯୁକ୍ତି ଦିଆଯାଇଛି | ଏଠାରେ ସୂଚନା ଥାଉ କି ତରଣଜିତ ସିଂ ଶ୍ରୀଲଙ୍କାରେ ନିଯୁକ୍ତି ପୂର୍ବରୁ ୱାସିଂଟନରେ ଭାରତୀୟ ଦୂତାବାସରେ ଉପ-ମୁଖ୍ୟ ଭାବେ କାମ କରୁଥିଲେ | ସେ ସେପ୍ଟେମ୍ବର ୨୦୧୧ ମସିହାରୁ ଜୁଲାଇ ୨୦୧୩ ମସିହା ଯାଏଁ ଫ୍ରାଙ୍କଫର୍ଟରେ ମହାବାଣିଜ୍ୟଦୂତ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତରଣଜିତ ସିଂ ବିଦେଶ ମନ୍ତ୍ରାଳୟରେ ମାର୍ଚ୍ଚ ୨୦୦୯ ମସିହାରୁ ଅଗଷ୍ଟ ୨୦୧୧ ମସିହା ପର୍ଯ୍ୟନ୍ତ ସଂଯୁକ୍ତ ରାଷ୍ଟ୍ରର ସଂଯୁକ୍ତ ସଚିବ ଭାବେ କାର୍ଯ୍ୟ କରିଥିଲେ | ଏହା ସହ ମାନବ ସମ୍ବଳ ବିଭାଗର ସଂଯୁକ୍ତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ | ଏହା ଛଡା ଜୁଲାଇ ୨୦୦୫ ମସିହାରୁ ଫେବୃୟାରୀ ୨୦୦୯ ମସିହା ଯାଏଁ ସଂଯୁକ୍ତ ରାଷ୍ଟ୍ରରେ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରିଥିଲେ | ଏଠାରେ ସୂଚନା ଥାଉ କି ଆସନ୍ତା ଫେବ୍ରୁଆରିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଗସ୍ତରେ ଆସିବା ନେଇ ଯୋଜନା କରୁଛନ୍ତି।




















