ନୂଆଦିଲ୍ଲୀ,୧୫।୧(ଡି.ଏଚ) :ପରମବୀର ଚକ୍ର କ୍ୟାପଟେନ ବିକ୍ରମ ବାତ୍ରା ଥରେ କହିଥିଲେ, ‘ମୁଁ ତ୍ରିରଙ୍ଗା ଉଡ଼ାଇ ଫେରିପାରେ କିମ୍ବା ସେଥିରେ ଆଚ୍ଛାଦିତ ହୋଇ ଫେରିପାରେ, କିନ୍ତୁ ମୁଁ ନିଶ୍ଚିତ ଫେରିବି’। ତାଙ୍କର ଏହି ଉକ୍ତିରୁ ଜଣାପଡେ ଦେଶର ପ୍ରକୃତ ବୀର ହେଉଛନ୍ତି ସେନାର ଯବାନ। ଆମକୁ ସୁରକ୍ଷିତ ଓ ସୁଖରେ ରଖିବା ପାଇଁ ସେମାନଙ୍କ ତ୍ୟାଗର ତୁଳନା ନାହିଁ। ଏଣୁ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ପାଇଁ ଭାରତରେ ପ୍ରତିବର୍ଷ ୧୫ ଜାନୁୟାରୀରେ ଭାରତୀୟ ସେନା ଦିବସ ପାଳନ କରାଯାଏ। ୧୯୪୯ ମସିହାରେ ଏହି ଦିନ ଭାରତର ଶେଷ ବ୍ରିଟିଶ କମାଣ୍ଡର୍-ଇନ୍-ଚିଫ୍ ସାର୍ ଫ୍ରାନ୍ସିସ୍ ବୁଚର୍ଙ୍କ ଠାରୁ ଭାରତର ଫିଲ୍ଡ ମାର୍ଶଲ କେ.ଏମ୍. କରିଅପ୍ପା ଦାୟିତ୍ୱ ଗ୍ରହଣ କରିଥିଲେ। କରିଅପ୍ପା ଥିଲେ ଭାରତୀୟ ସେନାର ପ୍ରଥମ କମାଣ୍ଡର-ଇନ୍-ଚିଫ୍। ଦିଲ୍ଲୀ ସମେତ ଦେଶର ସବୁ ସେନା କମାଣ୍ଡ ହେଡକ୍ୱାର୍ଟରରେ ଏହି ଦିବସ ପାଳିତ ହୋଇଥାଏ। ସେନା ଦିବସରେ ଦେଶ ସୁରକ୍ଷା ଲାଗି ବଳିଦାନ ଦେଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଯାଏ। ଏହି ବର୍ଷ ୭୨ତମ ସେନା ଦିବସ ପାଳନ କରାଯାଉଛି। ସେନାର ସିଦ୍ଧାନ୍ତ ହେଉଛି ‘ସର୍ଭିସ ବିଫୋର୍ ସେଲ୍ଫ’। ବାହ୍ୟ ଓ ଆଭ୍ୟନ୍ତରୀଣ ବିଦପକୁ ପ୍ରତିହତ କରି ଦେଶରେ ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରିବା ଏହି ଦିବସର ଲକ୍ଷ୍ୟ।






















