ଶ୍ରୀନଗର,୯/୧(ଡି.ଏଚ) : ପରିସ୍ଥିତି ସ୍ୱାଭାବିକ କରିବାକୁ ସରକାର କି ଭଳି ଉଦ୍ୟମ କରୁଛନ୍ତି ତାହା ଅନୁଧ୍ୟାନ କରିବାକୁ ଆଜି ୧୫ ଜଣ ବିଦେଶୀ କୂଟନୀତିଜ୍ଞ ଜମ୍ମୁ ଓ କଶ୍ମୀର ଗସ୍ତରେ ଆସୁଛନ୍ତି।ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ଅବସ୍ଥାନ କରୁଥିବା ପ୍ରାୟ ୧୫ ଜଣ କୂଟନୀତିଜ୍ଞଙ୍କର ଏକ ଦଳକୁ ଜାନୁଆରି ୯ ଓ ୧୦ ତାରିଖ ଦିନ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରକୁ ନିଆଯାଉଛି। ସେଠାରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ସରକାର କିଭଳି ଉଦ୍ୟମ କରୁଛନ୍ତି, ତାହା ସେମାନେ ଅନୁଧ୍ୟାନ କରିବେ। ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରାଯାଇ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବା ପରେ ସରକାର ସେଠାରେ କଠୋର କଟଗଣା ଲାଗୁ କରିଥିବା କଥା ଦେଶବିଦେଶରେ ପ୍ରସାର ହୋଇଥିଲା। ବିଶେଷ କରି ପାକିସ୍ତାନ ଏ ପ୍ରସଙ୍ଗରେ ଜାତିସଂଘ ଓ ବିଶ୍ୱର ଅନ୍ୟାନ୍ୟ ପ୍ରଭାବଶାଳୀ ଦେଶଗୁଡ଼ିକ ଆଗରେ ଫେରାଦ ହୋଇଥିଲା। କଶ୍ମୀର ଗସ୍ତରେ ଯିବା ଲାଗି କୂଟନୀତିଜ୍ଞମାନେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରୁଥିଲେ। ଜମ୍ମୁ ଓ କଶ୍ମୀର ପ୍ରଶାସନ ସହ ସେଠାକାର ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବା ପରେ ସେମାନଙ୍କ ଅନୁରୋଧ ରକ୍ଷା କରାଯିବ ବୋଲି ଆମେ କହିଥିଲୁ ବୋଲି କେନ୍ଦ୍ର ସରକାର କହିଛନ୍ତି।




















