ଦୁବାଇ,୮।୧(ଡି.ଏଚ) : ୨୦୨୦ ମସିହାର ସର୍ବପ୍ରଥମ ବଡ଼ ବିମାନ ଦୁର୍ଘଟଣା ଇରାନର ରାଜଧାନୀ ତେହେରାନରେ ଘଟିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରେ ଜଳିଯାଇଛି ବୋଇଙ୍ଗ୍ ୭୩୭ ବିମାନ। ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବିମାନର ସମସ୍ତ ୧୭୬ ଯାତ୍ରୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ବିମାନରେ ଥିବା ୧୬୭ ଯାତ୍ରୀ ଓ ୯ ଜଣ ବିମାନ କର୍ମଚାରୀଙ୍କ ମଧ୍ୟରୁ କେହି ଜଣେ ହେଲେ ଜୀବନ ବଞ୍ଚାଇ ପାରି ନାହାନ୍ତି। ବିମାନଟି ଉଡାଣ କରିବାର ଅଳ୍ପ କିଛି ସମୟ ମଧ୍ୟରେ ଏକ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ।। ସୂଚନା ଅନୁସାରେ, ୧୬୭ ଜଣ ଯାତ୍ରୀଙ୍କୁ ନେଇ ଇରାନ୍ର ଇମାମ୍ ଖୋମିନି ବିମାନ ବନ୍ଦରରୁ ସେ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ଉଡାଣର ଅଳ୍ପକିଛି ସମୟ ପରେ ପାଇଲଟ୍ ଯାନ୍ତ୍ରିକ ତ୍ରୁଟି ସଂପର୍କରେ ଜାଣିବାକୁ ପାଇଥିଲେ। ସେ ତୁରନ୍ତ ବିମାନକୁ ଅବତରଣ କରିବାକୁ ଉଦ୍ୟମ କରିଥିଲେ, ମାତ୍ର ଏଥିରେ ସେ ଅସଫଳ ରହିଥିଲେ। ପରେ ପରେ ବିମାନରେ ନିଆଁ ଲାଗି ଯାଇଥିଲା।




















