ନୂଆଦିଲ୍ଲୀ,୨୩।୧୨:(ଡି.ଏଚ) : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଅସୁରକ୍ଷିତ ଅନୁଭବ କରୁଥିବା ମୁସ୍ଲିମ ସଂପ୍ରଦାୟକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶ୍ବସ୍ତ କରିଛନ୍ତି। ନାଗରିକତା ଆଇନ ସହିତ ଦେଶର କୌଣସି ଧର୍ମ ଓ ନାଗରିକଙ୍କର କିଛି ସଂପର୍କ ନାହିଁ, କୌଣସି ଜଣେ ବି ନାଗରିକ ଏହାଦ୍ବାରା ପ୍ରଭାବିତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ ର୍ୟାଲିରେ ଉଦ୍ବୋଧନ ଦେଇ କହିଛନ୍ତି। ବିରୋଧୀ ଦଳ ନାଗରକିତା ଆଇନ ନେଇ ମୁସ୍ଲିମ ସଂପ୍ରଦାୟକୁ ବିଭ୍ରାନ୍ତ କରିଛନ୍ତି ଏବଂ ବ୍ୟାପକ ଅପପ୍ରଚାର ଦ୍ବାରା ହିଂସା ସୃଷ୍ଟି କରାଯାଉଛି ବୋଲି ମତଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କ ମିଥ୍ୟା ପ୍ରଚାର ନେଇ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ସରକାର କୌଣସି ନାଗରିକଙ୍କ ସହିତ କେବେ ବି ଭେଦଭାବ କରିନାହାନ୍ତି ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।




















