ନୂଆଦିଲ୍ଲୀ,୨୧।୧୧(ଡି.ଏଚ): ମହାରାଷ୍ଟ୍ର ନିର୍ବାଚନର ମାସକ ପରେ ସମ୍ଭବତଃ ହିସାବ ଛିଣ୍ଡିଛି। ଶିବସେନା ନେତୃତ୍ୱରେ ପାଳିକରି ସରକାର ଗଠନ ପାଇଁ ରାଜି ହୋଇଛନ୍ତି ବିରୋଧୀ ମେଣ୍ଟ। ମୁଖ୍ୟମନ୍ତ୍ରୀ ପଦ ପ୍ରଥମ ଅଢ଼େଇବର୍ଷ ଶିବସେନା ଓ ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ପାଖରେ ରହିବ। କଂଗ୍ରେସରୁ ଜଣେ ପୂରା ୫ ବର୍ଷ ଉପମୁଖ୍ୟମନ୍ତ୍ରୀ ହେବେ। ବୁଧବାର ଏଭଳି ହିସାବ ଛିଣ୍ଡିଛି ଏନ୍ସିପି-କଂଗ୍ରେସ ବୈଠକ ପରେ। ସରକାର ଗଠନ ନେଇ ଗୁରୁବାର ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ବିଳମ୍ବିତ ରାତିରେ ସୂତ୍ରରୁ ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସାକ୍ଷାତ ବୁଧବାର ଜାତୀୟ ରାଜନୀତିରେ ନାନା ଚର୍ଚ୍ଚାକୁ ଖୋରାକ ଯୋଗାଇଥିବାବେଳେ ମହାରାଷ୍ଟ୍ର ପାଇଁ ମଧ୍ୟ ନିଆଯାଉଥିଲା ଚୂଡ଼ାନ୍ତ ନିଷ୍ପତ୍ତି। ପାଓ୍ବାରଙ୍କ ବାସଭବନରେ ଏନ୍ସିପି ଏବଂ କଂଗ୍ରେସର ପୁରୁଖା ନେତାମାନେ ବୈଠକ କରିଥିଲେ। ପ୍ରାୟ ତିନି ଘଣ୍ଟା ଆଲୋଚନା ପରେ ନିଷ୍ପତି ହେଲା । ଶିବସେନା ଓ ଏନ୍ସିପି ମୁଖ୍ୟମନ୍ତ୍ରୀ ପଦକୁ ପାଳିକରି ଅଢେଇବର୍ଷ ଲେଖାଏ ଶାସନ କରିବେ ।




















