ପାର୍ଲିଆମେଣ୍ଟର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ରାଷ୍ଟ୍ରପତି

212
ADVERTISEMENT

ନୂଆଦିଲ୍ଲୀ, ୨୦/୬(ଡିଏଚବି): ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ସଂସଦର ସେଣ୍ଟ୍ରାଲ ହଲ୍‌ରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟଙ୍କୁ ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନବ ନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଚଳିତ ନିର୍ବାଚନୀ ପ୍ରକ୍ରିୟାରେ ସାମିଲ ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ସଂସଦକୁ ନିର୍ବାଚିତ ହୋଇଥିବା ମହିଳା ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ପାଇବା ଉତ୍ସାହଜନକ। ଗତ ଥର ତୁଳନାରେ ଚଳିତ ଥର ଅଧିକ ମହିଳା ଭୋଟ ଦେଇଛନ୍ତି। ସେହିପରି ସର୍ବାଧିକ ୭୮ଜଣ ମହିଳା ସଂସଦକୁ ନିର୍ବାଚିତ ହୋଇଛନ୍ତି, ଯାହା ଏକ ଇତିହାସ।

ରାଷ୍ଟ୍ରପତି କହିଥିଲେ ଯେ, ଏବେ ସବ୍‌କା ସାଥ, ସବ୍‌କା ବିକାଶ ମନ୍ତ୍ରରେ ସରକାର ଆଗକୁ ବଢୁଛି। ବିକାଶ ପଥରେ ସରକାର ବିନା ଭେଦଭାବରେ ଅଗ୍ରସର ହେଉଛି। ସୁଦୃଢ଼ ରାଷ୍ଟ୍ର ନିର୍ମାଣ ଦିଗରେ ସରକାର ସଙ୍କଳ୍ପବଦ୍ଧ। ୨୦୨୨ସୁଦ୍ଧା ନୂଆ ଭାରତ ନିର୍ମାଣ ଆମର ଲକ୍ଷ୍ୟ। ଚାଷୀ, ଛୋଟ ଦୋକାନୀଙ୍କ ପାଇଁ ପେନସନ ଯୋଜନା କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଚାଷୀଙ୍କୁ ସହାୟତା ମିଳୁଛି। ୩ମାସ ମଧ୍ୟରେ ପ୍ରାୟ ୧୨ହଜାର କୋଟି ଟଙ୍କାର ସହାୟତା ଦିଆଯାଇଛି। ସୈନିକଙ୍କ ପିଲାଙ୍କ ପାଇଁ ସ୍କଲାରସିପ୍‌ ବ୍ୟବସ୍ଥା ହୋଇଛି। ଦୁନିଆର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ‘ଆୟୁଷ୍ମାନ ଭାରତ’ରେ ଦେଶର ୫୦କୋଟି ଲୋକଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି। ତେବେ, ଜଳ ସଙ୍କଟ ଏବେ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କୁ ଏକାଗ୍ର ଚିତ୍ତରେ କାମ କରିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି ଆହ୍ବାନ ଦେଇଥିଲେ।

Advertisement