ନୂଆଦିଲ୍ଲୀ, ୧୭/୬(ଡି.ଏଚ.ବି): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁରକ୍ଷାର ପ୍ରତିଶ୍ରୁତି ଦେବାପରେ ଡାକ୍ତରମାନେ ଆଜି ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ମମତା ସୁରକ୍ଷାର ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ପ୍ରତି ହସ୍ପିଟାଲରେ ପୁଲିସ୍ ଅଫିସର ମୁତୟନ ରହିବେ।
ସୂଚନାଯୋଗ୍ୟ ଯେ, ଜୁନ ୧୦ରେ କୋଲକାତାର ଏନଆରଏସ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାକୁ ବିରୋଧ କରି ଡାକ୍ତରମାନେ ଜୁନ ୧୧ରୁ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ, ଡାକ୍ତରମାନେ ପ୍ରଥମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପାଇଁ ମନା କରିଦେଇଥିଲେ। ରୁଦ୍ଧଦ୍ୱାର କୋଠରୀରେ ସେମାନେ କୌଣସି ଆଲୋଚନା କରିବେନାହିଁ ବୋଲି କହିଥିଲେ। ଏହାକୁ ନେଇ ପଶ୍ଚିମବଙ୍ଗ ଡାକ୍ତରମାନେ ସୋମବାର ୨୪ଘଣ୍ଟିଆ ଧର୍ମଘଟ ଡାକରା ଦେଇଥିଲେ। ଅଖିଳ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ମଧ୍ୟ ଏହାକୁ ସମର୍ଥନ ଜଣାଇଥିଲା। ଫଳରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଥିଲା।
ଶେଷରେ ଆଜି କଥାବାର୍ତ୍ତା ଗଣମାଧ୍ୟମ ସାମ୍ନାରେ ହେବ ବୋଲି ମମତା କହିବାପରେ ଡାକ୍ତରମାନେ ଆଲୋଚନା ପାଇଁ ରାଜି ହୋଇଥିଲେ। ଏହି କ୍ରମରେ ସୋମବାର ଡାକ୍ତରଙ୍କ ଏକ ପ୍ରତିନିଧିମଣ୍ଡଳୀ ଆଜି ମମତାଙ୍କ ସହ ଆଲୋଚନା କରିଥିଲେ। ଡାକ୍ତରମାନଙ୍କ ପ୍ରତିନିଧିମଣ୍ଡଳୀ କହିଥିଲେ ଯେ, ଏନଆରଏସ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଲୋକଙ୍କୁ କଠୋର ଦଣ୍ଡ ମିଳୁ। ଏହି ପ୍ରସଙ୍ଗରେ ମମତା କହିଥିଲେ ଯେ, ଆକ୍ରମଣରେ ସମ୍ପୃକ୍ତ ୫ଜଣ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯାଇଛି। କୌଣସି ଡାକ୍ତରଙ୍କ ବିରୋଧରେ ପଶ୍ଚିମବଙ୍ଗ ସରକାର ମାମଲା ରୁଜୁ କରିନାହାନ୍ତି। ଏଣିକି ସବୁ ହସ୍ପିଟାଲରେ ଅଭିଯୋଗ ନିରାକରଣ ପ୍ରକୋଷ୍ଠ ଖୋଲିବାକୁ ପ୍ରଚେଷ୍ଠା କରାଯିବ । ପଶ୍ଚିମବଙ୍ଗର ଦୁଇଟି ଆଞ୍ଚଳିକ ଟିଭି ଚ୍ୟାନେଲ ଏହି କଥାବାର୍ତ୍ତାର ସିଧାପ୍ରସାରଣ କରିଥିଲେ ।