ନୂଆଦିଲ୍ଲୀ,୧o/o୯(ରବି ଦାସ) : ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ଚୀନ୍ ଓ ପାକିସ୍ତାନ ମିଳିତ ଭାବେ ଦେଇଥିବା ଏକ ବିବୃତିର ଦୃଢ଼ ଖଣ୍ଡନ କରିଛି ଭାରତ। ଉଲ୍ଲେଖଯୋଗ୍ୟ, ଚୀନ୍ର ବୈଦେଶିକ ମନ୍ତ୍ରୀ ନିକଟରେ ପାକିସ୍ତାନ ଗସ୍ତରେ ଆସିଥିବା ଅବସରରେ ଚୀନ୍ ଓ ପାକିସ୍ତାନ ପକ୍ଷରୁ ମିଳିତ ଭାବେ ଜାରି ହୋଇଥିବା ଏକ ବିବୃତିରେ କଶ୍ମୀର ପ୍ରସଙ୍ଗକୁ ଇତିହାସ ଦ୍ୱାରା ସୃଷ୍ଟ ଏକ ବିବାଦ ବୋଲି କୁହା ଯାଇଥିଲା। ତେବେ, ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର ଆଜି ଚୀନ୍ ଓ ପାକିସ୍ତାନ ପକ୍ଷରୁ ମିଳିତ ଭାବେ ଜାରି ଏହି ବିବୃତିର ଦୃଢ଼ ଖଣ୍ଡନ କରିବା ସହ ଜମ୍ମୁ- କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଛନ୍ତି। ଏଥିସହ ଭାରତୀୟ ସୀମା ମଧ୍ୟରେ ରହିଥିବା ପାକ୍ ଅଧିକୃତ କଶ୍ମୀର ମଧ୍ୟ ଦେଇ ଏବେ ଚୀନ୍ ପକ୍ଷରୁ ଯେଉଁ ବିବାଦୀୟ ଚୀନ୍- ପାକିସ୍ତାନ୍ ଅର୍ଥନୈତିକ ଅଳିନ୍ଦ, ‘ଚୀନ୍- ପାକ୍ ଇକୋନୋମିକ୍ କରିଡର’ (ସିପିଇସି)ର ନିର୍ମାଣ କାର୍ଯ୍ୟ ଚାଳିଛି ତାହାକୁ ତୁରନ୍ତ ବନ୍ଦ କରିବା ପାଇଁ କଡ଼ା ଚେତାବନୀ ଦେଇଛନ୍ତି । କଶ୍ମୀରର ଯେଉଁ ଅଞ୍ଚଳରେ ବର୍ତ୍ତମାନ ବିବାଦୀୟ ଚୀନ୍- ପାକିସ୍ତାନ୍ ଅର୍ଥନୈତିକ ଅଳିନ୍ଦର ନିର୍ମାଣ କାର୍ଯ୍ୟ ଚାଲିଛି ତାହା ସଂପୂର୍ଣ୍ଣ ରୂପେ ଭାରତୀୟ ଅଞ୍ଚଳ। ତେବେ, ୧୯୪୭ ଠାରୁ ପାକିସ୍ତାନ କୌଶଳ କ୍ରମେ ନିଜ କବ୍ଜାକୁ ନେଇ ଯାଇଛି। ଯାହାକୁ ଏବେ ପାକ୍ ଅଧିକୃତ କଶ୍ମୀର ବୋଲି କୁହାଯାଉଛି।
ତେବେ, ବିବାଦୀୟ ପାକ୍ ଅଧିକୃତ କଶ୍ମୀରରେ ସଂପୂର୍ଣ୍ଣ ସ୍ଥିତାବସ୍ଥା ବଜାୟ ପାଇଁ ଅନ୍ତର୍ଜାତୀୟ ସ୍ତରରୁ ନିର୍ଦ୍ଦେଶ ରହିଥିବା ବେଳେ ଏହାକୁ ଅଣଦେଖା କରି ସେଠାରେ ଚୀନ୍- ପାକିସ୍ତାନ୍ ପକ୍ଷରୁ ଅର୍ଥନୈତିକ ଅଳିନ୍ଦର ନିର୍ମାଣ କାର୍ଯ୍ୟ ଚାଲିବା ସଂପୂର୍ଣ୍ଣ ରୂପେ ବେଆଇନ୍। ତେଣୁ, ତୁରନ୍ତ ଏହି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଭାରତର ବୈଦେଶିକ ମନ୍ତ୍ରାଳୟ ଉଭୟ ଚୀନ୍ ଓ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି।




















