ନୂଆଦିଲ୍ଲୀ୧o/o୯(ରାବି ଦାସ ) : ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଭାରତୀୟ ସୈନ୍ୟବାହିନୀର ଆକ୍ରମଣ କ୍ଷମତା ବୃଦ୍ଧି ସହ ଏହାର ଆଧୁନିକୀକରଣ ଲାଗି ସରକାର ମେଗା ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ୧୩୦ ବିଲିୟନ ଡଲାର ବ୍ୟୟ ହେବ। ୩ ସେନାର ଆଧୁନିକୀକରଣକୁ ତ୍ୱରାନ୍ବିତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଏକ ସୂତ୍ରରୁ ଜଣାପଡିଛି। ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ର, କ୍ଷେପଣାସ୍ତ୍ର, ଲଢ଼ୁଆ ଜେଟ୍, ବୁଡ଼ାଜାହାଜ, ଯୁଦ୍ଧଜାହାଜ କିଣାଯିବ। ତେବେ ଫାଷ୍ଟ-ଟ୍ରାକ୍ ଇନ୍ଫାଣ୍ଟ୍ରିର ତୁରନ୍ତ ଆଧୁନିକୀକରଣ ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ଏଥିପାଇଁ ସ୍ଥଳସେନା ନିମନ୍ତେ ୨୬୦୦ ଆକ୍ରମଣକାରୀ ଯାନ, ଭବିଷ୍ୟତ ଲାଗି ପ୍ରସ୍ତୁତ ରହିବାକୁ ୧୭୦୦ ଲଢ଼ୁଆ ଯାନ କିଣାଯିବ। ସେହିପରି ବାୟୁସେନା ନିମନ୍ତେ ୧୧୦ଟି ମଲ୍ଟିରୋଲ୍ ଲଢ଼ୁଆ ବିମାନ କିଣାଯିବା ଉପରେ ପ୍ରାଥମିକତା ଦିଆଯାଉଛି।ଯଦି ଏକସଙ୍ଗେ ଉତ୍ତର ଓ ପଶ୍ଚିମସୀମାରୁ ଆକ୍ରମଣ ହୁଏ ତେବେ ଏହାକୁ ପ୍ରତିହତ କରିବା ଲାଗି ସେନାକୁ ଉପଯୁକ୍ତ ଭାବେ ପ୍ରସ୍ତୁତ ରହିବାକୁ ହେବ। ଏଥିପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇଦେବା ଉପରେ ସେନା ଗୁରୁତ୍ୱ ଦେଉଛି। ବିରୋଧୀଦେଶ ସହ ଯୁଦ୍ଧକୁ ସମ୍ମୁଖୀନ ହେବା ଲାଗି ଭାରତୀୟ ବାୟୁସେନା ଓ ନୌସେନାକୁ ଉପଯୁକ୍ତ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ସହ ପ୍ରସ୍ତୁତ ହୋଇ ରହିବାକୁ ହେବ। ନୌସେନା ଏହାର ଶକ୍ତି ବୃଦ୍ଧି ଲାଗି ଯୋଜନା ଚୂଡାନ୍ତ କରିଛି। ଆଗାମୀ ୩-୪ ବର୍ଷରେ ୨୦୦ ଜାହାଜ, ୫୦୦ ଯୁଦ୍ଧ ବିମାନ ଏବଂ ୨୪ ଆକ୍ରମଣକାରୀ ବୁଡ଼ାଜାହାଜ ଚାହୁଁଛି ନୌସେନା। ଏବେ ଉକ୍ତ ବାହିନୀ ପାଖରେ ୧୩୨ ଜାହାଜ, ୨୨୦ ବିମାନ ଓ ୧୫ ବୁଡାଜାହାଜ ରହିଛି।
ଚଳିତ ମାସ ୨୮ତାରିଖରେ ସାମିଲ ହେବ ଆଇଏନ୍ଏସ୍ ଖଣ୍ଡେରୀ, ମାଜାଗାଓଁ ପୋତାଶ୍ରୟରେ ନିର୍ମାଣାଧୀନ ଥିବା ଦ୍ୱିତୀୟ ସ୍କୋର୍ପେନ୍ ଡିଜେଲ-ଇଲେକ୍ଟ୍ରିକ୍ ବୁଡ଼ାଜାହାଜ ‘ଆଇଏନ୍ଏସ୍ ଖଣ୍ଡେରୀ’ଚଳିତ ମାସରେ ନୌସେନାରେ ସାମିଲ ହେବାକୁ ଯାଉଛି।




















