ରାଓ୍ଵଲପିଣ୍ଡି,୨୯/୮(ଏଜେନସି) : କଶ୍ମୀରକୁ କେନ୍ଦ୍ର କରି ଭାରତ- ପାକିସ୍ତାନ ମଧ୍ୟରେ ଶେଷ ନିର୍ଣ୍ଣାୟକ ଯୁଦ୍ଧ ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ହେବ ବୋଲି ଆଜି ଭବିଷ୍ୟବାଣୀ କରିଛନ୍ତି ପାକିସ୍ତାନୀ ମନ୍ତ୍ରୀ ଶେଖ୍ ରସିଦ୍ ଅହମ୍ମଦ। ପାକିସ୍ତାନର ରାଓ୍ଵଲପିଣ୍ଡି ଠାରେ କଶ୍ମୀର ପ୍ରସଙ୍ଗରେ ଆୟୋଜିତ ଏକ ସଭାରେ ଯୋଗଦେବା ଅବସରରେ ପାକିସ୍ତାନର ରେଳମନ୍ତ୍ରୀ ଶେଖ୍ ରସିଦ୍ ଅହମ୍ମଦ ଏ କଥା କହିଥିବା ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଥିସହ ମନ୍ତ୍ରୀ ଅହମ୍ମଦ କହିଛନ୍ତି, ଭାରତ- ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏ ଲଢ଼େଇ ହେବ ଶେଷ ଲଢ଼େଇ।‘କଶ୍ମୀର ପ୍ରସଙ୍ଗରେ ଏବେ ପାକିସ୍ତାନ ନିକଟରେ ଯୁଦ୍ଧ ବ୍ୟତିରେକ ଅନ୍ୟ କୌଣସି ପ୍ରକାରର ଦ୍ୱିତୀୟ ବିକଳ୍ପ ନାହିଁ। ଯଦି ମିଳିତ ଜାତିସଂଘ କଶ୍ମୀର ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଥାନ୍ତା; ତେବେ ଏତେବେଳକୁ ସେ କଶ୍ମୀର ପ୍ରସଙ୍ଗରେ ଜନମତ ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ କରିଦେଇ ଥାଆନ୍ତା। ଯେଉଁମାନେ କଶ୍ମୀର ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ହୋଇ ପାରିବ ବୋଲି ଭାବୁଛନ୍ତି, ସେମାନଙ୍କ ଠାରୁ ଆଉ ବଡ଼ ନିର୍ବୋଧ କେହି ନାହାନ୍ତି;’ ବୋଲି ଏହି ଅବସରରେ କହିଛନ୍ତି ପାକ୍ ମନ୍ତ୍ରୀ ରସିଦ୍ ଅହମ୍ମଦ। ଏଥିସହ କଶ୍ମୀର ପ୍ରସଙ୍ଗରେ ଚୀନ୍ ପାକିସ୍ତାନକୁ ସମର୍ଥନ ଦେଉଥିବାରୁ ଚୀନ୍ର ଭୂରିଭୂରି ପ୍ରଶଂସା କରି ଚୀନ୍କୁ ପାକିସ୍ତାନର ଏକମାତ୍ର ବନ୍ଧୁ ବୋଲି କହିବା ସହ କଶ୍ମୀର ପ୍ରସଙ୍ଗରେ ବିଶ୍ୱର ମୁସ୍ଲିମ୍ ରାଷ୍ଟ୍ର ସମୂହ ନିରବତା ଅବଲମ୍ବନ କରୁଥିବାରୁ ମୁସ୍ଲିମ୍ ରାଷ୍ଟ୍ର ସମୂହର କଟୁ ସମାଲୋଚନା କରିଛନ୍ତି ମନ୍ତ୍ରୀ ରସିଦ୍ ଅହମ୍ମଦ।




















