ନୂଆଦିଲ୍ଲୀ,୨୯/୮(ରବି ଦାସ) : ନୂଆଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ତେଲେଙ୍ଗାନା ଏକ୍ସପ୍ରେସରେ ଆଜି ସକାଳେ ଏକ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ସକାଳ ପ୍ରାୟ ୭ଟା୪୩ରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ଉତ୍ତର ରେଳବାଇର ମୁଖପାତ୍ର ଦୀପକ କୁମାରଙ୍କ ସୂଚନା ଅନୁଯାୟୀ ୧୨୭୨୩ ନମ୍ବର ତେଲେଙ୍ଗାନା ଏକ୍ସପ୍ରେସରେ ଖୁବ ଜୋରରେ ଧୂଆଁ ବାହାରୁଥିବା ସାଙ୍ଗକୁ ଚକରୁ ଦେଖି ଟ୍ରେନଟିକୁ ହରିଆନାର ଆସଓଟି-ବଲ୍ଲଭଗଡ ମଝିରେ ଥିବା ଏକ ସ୍ଥାନରେ ଅଟକାଯାଇଥିଲା। ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ନିଆକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବ୍ରେକ ବାଇଡିଙ୍ଗରେ ନିଆଁ ଓ ଧୂଆଁ କାରଣରୁ ଟ୍ରେନକୁ ଷ୍ଟେସନ ନିକଟରେ ଅଟକାଇବାକୁ ପଡିଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲା । ଏହା ମଧ୍ୟରେ ସେହି ଟ୍ରାକ ଦେଇ ଅନ୍ୟ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା । ଦମକଳ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ । ଏହି ଅଘଟଣରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ରେଳବାଇ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।




















